ହୀରାକୁଦ ବନ୍ଧ ପରିଚାଳନାରେ ସଙ୍କଟ! ୬୪ ପଦ ବଦଳରେ କାର୍ଯ୍ୟରତ ମାତ୍ର ୧୧ କର୍ମଚାରୀ
ବିଶ୍ୱର ସର୍ବବୃହତ ମାଟିବନ୍ଧ ହୀରାକୁଦ ବନ୍ଧର ବନ୍ୟାଜଳ ନିୟନ୍ତ୍ରଣ ଓ ପରିଚାଳନାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି। କର୍ମଚାରୀ ସଂଘର ଅଭିଯୋଗ ଅନୁଯାୟୀ, ବନ୍ଧ ପରିଚାଳନା ପାଇଁ ୬୪ ଜଣ ଦକ୍ଷ କର୍ମଚାରୀ ଆବଶ୍ୟକ ଥିବାବେଳେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ମାତ୍ର ୧୧ ଜଣ। ଫଳରେ ବନ୍ଧର ଗେଟ୍ ପରିଚାଳନା, ବନ୍ୟା ନିୟନ୍ତ୍ରଣ, ଜଳସେଚନ, ବିଦ୍ୟୁତ ଉତ୍ପାଦନ ଓ ରକ୍ଷଣାବେକ୍ଷଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ବଢ଼ିଛି। ଇଞ୍ଜିନିୟର, ଗେଟ୍ ଅପରେଟର, ଇଲେକ୍ଟ୍ରିସିଆନ, ଫିଟର, ଗେଜ୍ ରିଡର ଓ ସୁରକ୍ଷା କର୍ମୀଙ୍କ ଭଳି ଅନେକ ପଦ ଖାଲି ପଡ଼ିଥିବାରୁ କିଛି ଅଭିଜ୍ଞତାହୀନ କର୍ମଚାରୀଙ୍କୁ ଜରୁରୀ ଦାୟିତ୍ୱ ଦିଆଯାଉଥିବା ଅଭିଯୋଗ ହୋଇଛି।
କର୍ମଚାରୀ ସଂଘ କହିଛି, ୨୦୧୪ ପରେ ସ୍ୱତନ୍ତ୍ର କ୍ୟାଡର ବ୍ୟବସ୍ଥା ବନ୍ଦ ହେବା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ଥାନରେ ନୂଆ ନିଯୁକ୍ତି ନ ହେବାରୁ ପରିସ୍ଥିତି ସଙ୍କଟଜନକ ହୋଇପଡ଼ିଛି। ବର୍ତ୍ତମାନ ଆଉଟସୋର୍ସିଂରେ ନିଯୁକ୍ତ ୩୨ ଜଣ କର୍ମଚାରୀଙ୍କ ମଧ୍ୟରୁ ଅନେକଙ୍କ ପାଖରେ ବନ୍ଧର ଫାଟକ ଖୋଲିବା ଓ ବନ୍ଦ କରିବାର ଆବଶ୍ୟକୀୟ ଅଭିଜ୍ଞତା ନାହିଁ। ଏଭଳି ସ୍ଥିତିରେ ବର୍ଷା ଋତୁରେ ବନ୍ୟା ଜଳ ପରିଚାଳନାକୁ ନେଇ ଦୁର୍ଘଟଣାର ଆଶଙ୍କା ବଢ଼ିଥିବାରୁ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ପଦୋନ୍ନତି, ନୂଆ ନିଯୁକ୍ତି ଓ ପ୍ରଶିକ୍ଷଣ ବ୍ୟବସ୍ଥା ଦାବି କରିଛନ୍ତି।
ଏହି ସମସ୍ୟା ନେଇ କର୍ମଚାରୀ ସଂଘ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରିଥିବାବେଳେ ଶୀଘ୍ର ପଦକ୍ଷେପ ନିଆନଗଲେ ହୀରାକୁଦ ବନ୍ଧର ସୁରକ୍ଷିତ ପରିଚାଳନା ଉପରେ ଗୁରୁତର ପ୍ରଭାବ ପଡ଼ିପାରେ ବୋଲି ସତର୍କ କରିଛନ୍ତି। ଏନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

