ଶିମିଳିପାଳରେ ବଢ଼ୁଛି ମହାବଳଙ୍କ ଦବଦବା; ୩୫ ବାଘଙ୍କ ଉପସ୍ଥିତି, ଆହୁରି ବଢ଼ିପାରେ ସଂଖ୍ୟା
ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ମହାବଳ ବାଘଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଦ୍ୟ ସର୍ଭେ ଅନୁଯାୟୀ ବର୍ତ୍ତମାନ ଶିମିଳିପାଳରେ ୩୫ଟି ବାଘ ଥିବା ଚିହ୍ନଟ ହୋଇଛି। ସେଥିରେ ୧୭ଟି ପୁରୁଷ ଓ ୧୮ଟି ମାଈ ବାଘ ରହିଥିବା ବେଳେ ୧୯ଟି ମେଲାନିଷ୍ଟିକ୍ (କଳା) ବାଘ ମଧ୍ୟ ଅଛନ୍ତି। ଏହାସହ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜିନ୍ନତ’ର ୪ଟି ଶାବକକୁ ମିଶାଇ ଶିମିଳିପାଳରେ ଶାବକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ପିସିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା କହିଛନ୍ତି, ମଧ୍ୟ ଭାରତୀୟ ଲ୍ୟାଣ୍ଡସ୍କେପ୍ରୁ ଆଉ ଏକ ପୁରୁଷ ଓ ଏକ ମାଈ ବାଘ ଆଣିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି।
୨୦୨୨ ମସିହାର ସର୍ବଭାରତୀୟ ବ୍ୟାଘ୍ର ଗଣନାରେ ଶିମିଳିପାଳରେ ମାତ୍ର ୧୬ଟି ବାଘ ଥିବାବେଳେ, ୨୦୨୪ ରାଜ୍ୟସ୍ତରୀୟ ଗଣନାରେ ଏହି ସଂଖ୍ୟା ୨୭କୁ ବଢ଼ିଥିଲା। ଗତ ୬ ମାସ ଧରି ପ୍ରାୟ ୧୦୦୦ କ୍ୟାମେରା ଟ୍ରାପ୍ରେ ସଂଗୃହୀତ ତଥ୍ୟ ବିଶ୍ଳେଷଣ ପରେ ବର୍ତ୍ତମାନ ୩୫ଟି ବାଘଙ୍କ ଉପସ୍ଥିତି ରେକର୍ଡ ହୋଇଛି। ବରିଷ୍ଠ ବୈଜ୍ଞାନିକ ଡ. ବିଭାସ ପାଣ୍ଡବ କହିଛନ୍ତି, ବାଘମାନେ ଏବେ ଦକ୍ଷିଣ ଶିମିଳିପାଳରୁ ଉତ୍ତର ଶିମିଳିପାଳର ତଳବନ୍ଧ, ଚହଲା ଓ ଗୁଡୁଗୁଡ଼ିଆ ରେଞ୍ଜ ପର୍ଯ୍ୟନ୍ତ ନିଜ ଅଞ୍ଚଳ ବିସ୍ତାର କରିଛନ୍ତି।
ବନ ବିଭାଗ କହିଛି, କ୍ୟାମେରା ଟ୍ରାପ୍ରେ ଏକେ ବାଘ ଏକାଧିକ ଥର ଧରାପଡ଼ୁଥିବାରୁ ତଥ୍ୟର ଚୂଡ଼ାନ୍ତ ବିଶ୍ଳେଷଣ ଚାଲିଛି। ସମ୍ପୂର୍ଣ୍ଣ ଯାଞ୍ଚ ପରେ ଶିମିଳିପାଳରେ ବାଘଙ୍କ ସଂଖ୍ୟା ୩୫ରୁ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି। ଆସନ୍ତା ବର୍ଷ ବାଘ ଗଣନାର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ।

