ପୋଲ ନଥିବାରୁ ହଣ୍ଡାରେ ଶିଶୁକୁ ବସାଇ ନଦୀ ପାର; କନ୍ଧମାଳରୁ ଆସିଲା ହୃଦୟବିଦାରକ ଦୃଶ୍ୟ
କନ୍ଧମାଳ ଜିଲ୍ଲାରୁ ପୁଣି ଥରେ ସାମ୍ନାକୁ ଆସିଛି ମୌଳିକ ସୁବିଧାର ଅଭାବର ଏକ ହୃଦୟବିଦାରକ ଚିତ୍ର। ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଞ୍ଚାୟତର ଡୁମୁରିଗାଟା ଗ୍ରାମ ନିକଟ ବାଘ ନଦୀ ଉପରେ ପୋଲ ନଥିବାରୁ ଅସୁସ୍ଥ ଦୁଇ ବର୍ଷର ଶିଶୁକୁ ଏକ ବଡ଼ ରସ ହଣ୍ଡାରେ ବସାଇ ପରିବାର ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାର କରିଥିଲେ। ପୋଷାକ, ମୋବାଇଲ୍ ଓ ଅନ୍ୟ ସାମଗ୍ରୀ ମଧ୍ୟ ସେହି ହଣ୍ଡାରେ ରଖି ଚାରିଜଣ ଗଭୀର ପାଣି ମଧ୍ୟରେ ପହଁରି ପହଁରି ନଦୀ ପାର କରି ଶିଶୁକୁ ଗୋଚ୍ଛାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ସୂଚନା ଅନୁଯାୟୀ, ଗ୍ରାମର ଭିବାନା ମଲିକ ନିଜର ଥଣ୍ଡା-ଜ୍ୱରରେ ପୀଡ଼ିତ ଦୁଇ ବର୍ଷର ପୁଅକୁ ଚିକିତ୍ସା ପାଇଁ ଗୋଚ୍ଛାପଡ଼ା ନେଉଥିଲେ। ନଦୀ ପାର ହେବା ପରେ ସେମାନେ ପ୍ରାୟ ୫ କିଲୋମିଟର ପାଦରେ ଚାଲି ବଡ଼ପାଜୁ ଗ୍ରାମରେ ପହଞ୍ଚିଥିଲେ। ସେଠାରୁ ଦୁଇଟି ବାଇକ୍ ଯୋଗେ ଗୋଚ୍ଛାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଶିଶୁର ଚିକିତ୍ସା କରାଇଥିଲେ। ପରେ ପୁଣି ସେହିଭଳି ବିପଦପୂର୍ଣ୍ଣ ଉପାୟରେ ନଦୀ ପାର କରି ଘରକୁ ଫେରିଥିଲେ।
ଡୁମୁରିଗାଟା ଗ୍ରାମରେ ପ୍ରାୟ ୧୭ରୁ ୨୦ଟି ପରିବାର ବସବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ପୋଲ, ବିଦ୍ୟୁତ୍ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚିପାରିନାହିଁ। ବର୍ଷା ଋତୁରେ ନଦୀରେ ପାଣି ବଢ଼ିଲେ ଗ୍ରାମଟି ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଗ୍ରାମବାସୀ ଦୀର୍ଘ ଦିନ ଧରି ବାଘ ନଦୀ ଉପରେ ପୋଲ ନିର୍ମାଣ ଦାବି କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଶୀଘ୍ର ପଦକ୍ଷେପ ନେଇ ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

