Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନକଲି IB ଓ RAW ଏଜେଣ୍ଟ ସାଜି ଏସ୍‌ପିଙ୍କୁ ଭେଟିଲେ, ଶେଷରେ ଧରାପଡ଼ିଲେ ଦୁଇ ଅବସରପ୍ରାପ୍ତ ସେନା କର୍ମଚାରୀ

ବ୍ରହ୍ମପୁର: ସମ୍ପତ୍ତି ବିବାଦର ସମାଧାନ ପାଇଁ ନିଜକୁ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ଓ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (RAW)ର ଏଜେଣ୍ଟ ବୋଲି ପରିଚୟ ଦେଇ ଜାଲ୍ ପରିଚୟପତ୍ର ବ୍ୟବହାର କରୁଥିବା ଦୁଇ ଜଣଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶ ପଲାସା ଥାନା ଅଞ୍ଚଳର ଦୁର୍ଗା ପ୍ରସାଦ ବ୍ରହ୍ମା ଏବଂ ବ୍ରହ୍ମପୁର ଆଙ୍କୁଲିର ପ୍ରଦୀପ କୁମାର ମଣ୍ଡଳ। ଉଭୟ ଅବସରପ୍ରାପ୍ତ ସେନା କର୍ମଚାରୀ ବୋଲି ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଦୀପ ମଣ୍ଡଳ ସେନାରେ କାର୍ଯ୍ୟରତ ଥିବାବେଳେ ତାଙ୍କ ପୈତୃକ ସମ୍ପତ୍ତିରୁ ନାମ ବାଦ ପଡ଼ିଥିଲା। ଏହା ଜାଣିବା ପରେ ସମ୍ପତ୍ତି ଫେରି ପାଇବା ପାଇଁ ସେ ବନ୍ଧୁ ଦୁର୍ଗାଙ୍କ ସହ ମିଶି ନକଲି ପରିଚୟପତ୍ର ପ୍ରସ୍ତୁତ କରିଥିଲେ। ଦୁର୍ଗା ନିଜକୁ RAW ଏଜେଣ୍ଟ ଓ ପ୍ରଦୀପ ନିଜକୁ IB ଏଜେଣ୍ଟ ବୋଲି ପରିଚୟ ଦେଇ ବ୍ରହ୍ମପୁର ଉପଜିଲ୍ଲାପାଳ, ଭିଜିଲାନ୍ସ କାର୍ଯ୍ୟାଳୟ ଏବଂ ପରେ ଏସ୍‌ପିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

ଏସ୍‌ପିଙ୍କ ସନ୍ଦେହ ହେବା ପରେ ଉଭୟଙ୍କ ଦସ୍ତାବିଜ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପୁଲିସ ପଚରାଉଚରା ବେଳେ ସେମାନେ ସମ୍ପତ୍ତି ବିବାଦର ସମାଧାନ ପାଇଁ ଏଭଳି ମିଥ୍ୟା ପରିଚୟ ଦେଇଥିବା ସ୍ୱୀକାର କରିଥିଲେ। ଏଏସଆଇ ଅନନ୍ତ ପ୍ରଧାନଙ୍କ ଏତଲା ଆଧାରରେ ମାମଲା ରୁଜୁ କରି ପୁଲିସ ଉଭୟଙ୍କୁ ଗିରଫ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories