ଭକ୍ତିରେ ଉଛୁଳିଲା ବଡ଼ଦାଣ୍ଡ, ପହଣ୍ଡିରେ ଝୁଲି ଝୁଲି ରଥକୁ ବିଜେ କଲେ କାଳିଆ ଠାକୁର
ପୁରୀ: ରଥଯାତ୍ରାର ପବିତ୍ର ଅବସରରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଜି ଭକ୍ତଙ୍କ ଅପାର ସମାଗମରେ ଜନସମୁଦ୍ରରେ ପରିଣତ ହୋଇଛି। ବର୍ଷାକୁ ଖାତିର ନକରି ଲକ୍ଷ ଲକ୍ଷ ଭକ୍ତ କେବଳ ଥରେ କାଳିଆ ଠାକୁରଙ୍କ ପହଣ୍ଡି ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଟାହିଆ ଦୋଳାଇ ଝୁଲି ଝୁଲି ମହାପ୍ରଭୁ ଜଗନ୍ନାଥ ଯେତେବେଳେ ନନ୍ଦିଘୋଷ ରଥ ଅଭିମୁଖେ ବିଜେ କଲେ, ସେତେବେଳେ “ଜୟ ଜଗନ୍ନାଥ” ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଲା। ଭକ୍ତଙ୍କ ଆଖିରେ ଆନନ୍ଦାଶ୍ରୁ ଏବଂ ହୃଦୟରେ ଅପାର ଭକ୍ତିର ଭାବ ସ୍ପଷ୍ଟ ଦେଖିବାକୁ ମିଳିଥିଲା।
ସେବାୟତମାନଙ୍କ ସହାୟତାରେ ମନ୍ଥର ଗତିରେ ପହଣ୍ଡି କରି ମହାପ୍ରଭୁ ରଥାରୋହଣ କରିଥିଲେ। ଭକ୍ତଙ୍କ ବିଶ୍ୱାସ, ପହଣ୍ଡି ବିଜେର ଏହି ଦିବ୍ୟ ଦର୍ଶନ ଜନ୍ମ ଜନ୍ମାନ୍ତରର ପାପକୁ ଦୂର କରି ମୋକ୍ଷର ପଥ ପ୍ରଶସ୍ତ କରେ। କେହି “ହେ କାଳିଆ” ବୋଲି ଆକୁଳ ଡାକ ଦେଉଥିବା ବେଳେ, ଆଉ କେହି ରଥର ଦଉଡ଼ିକୁ ଛୁଇଁବା ପାଇଁ ବ୍ୟାକୁଳ ହୋଇପଡ଼ିଥିଲେ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଏହି ଅନନ୍ୟ ପ୍ରେମ ଓ ଭକ୍ତିର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା।
ମହାପ୍ରଭୁ ଜଗନ୍ନାଥଙ୍କୁ ‘ଭାବର ଠାକୁର’ ବୋଲି କୁହାଯାଏ। ସେ ଧନ କିମ୍ବା ଐଶ୍ୱର୍ଯ୍ୟ ନୁହେଁ, ଭକ୍ତଙ୍କ ନିଷ୍କପଟ ଭକ୍ତି ଓ ଆଖିର ଲୋତକକୁ ଗ୍ରହଣ କରନ୍ତି। ସେଥିପାଇଁ ଆଜି ବଡ଼ଦାଣ୍ଡ କେବଳ ଲୋକଙ୍କ ଭିଡ଼ରେ ନୁହେଁ, ଭକ୍ତିର ଅଶ୍ରୁ ଓ ଆଧ୍ୟାତ୍ମିକ ଆବେଗରେ ମଧ୍ୟ ଭିଜିଉଠିଥିଲା। ଏହି ଦିବ୍ୟ ମୁହୂର୍ତ୍ତ ରଥଯାତ୍ରାର ମହିମାକୁ ଆହୁରି ଅଲୌକିକ କରିଦେଇଛି।

