Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍‌ରେ ସଫଳତା; ସୋନପୁରର ଅନୁତ୍ତମ ଆଣିଲେ ଗୌରବ

ସୋନପୁର: ସୋନପୁର ଜିଲ୍ଲାର ଗଡ଼ଭିତର ଅଞ୍ଚଳର ଛାତ୍ର ଅନୁତ୍ତମ ପାଣିଗ୍ରାହୀ ଜାତୀୟସ୍ତରୀୟ ନିଟ୍‌ (NEET) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସମୁଦାୟ ୭୨୦ ନମ୍ବରରୁ ୬୦୧ ନମ୍ବର ରଖି ସେ ସର୍ବଭାରତୀୟ ସ୍ତରରେ ୯,୬୬୬ ରାଙ୍କ ହାସଲ କରିଛନ୍ତି। ବିନା କୋଚିଂରେ ପ୍ରଥମ ପ୍ରୟାସରେ ଏହି ସଫଳତା ପାଇ ସେ ପରିବାର ସହ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

ଅନୁତ୍ତମଙ୍କ ପିତା ଭବାନୀ ଶଙ୍କର ପାଣିଗ୍ରାହୀ ବୀରମହାରାଜପୁର ବ୍ଲକର ମୁର୍ଷୁଣ୍ଢୀ ସ୍ଥିତ ଏସ୍‌ବିଆଇ ଶାଖାର ପରିଚାଳକ ଏବଂ ମାତା ଅରୁନ୍ଧତୀ ପାଣିଗ୍ରାହୀ ଜଣେ ଗୃହିଣୀ। ନିଜ ଅଧ୍ୟବସାୟ ଓ ଆତ୍ମବିଶ୍ୱାସ ବଳରେ ସେ ପ୍ରତିଦିନ ୬ରୁ ୮ ଘଣ୍ଟା ନିୟମିତ ପାଠପଢ଼ା କରି ଅନୁତ୍ତମ ଏହି ସଫଳତା ହାସଲ କରିଛନ୍ତି। ନିଜ ସଫଳତାର ଶ୍ରେୟ ସେ ମାତାପିତା, ଅଜା-ଆଈ ଓ ଶିକ୍ଷକମାନଙ୍କୁ ଦେଇଛନ୍ତି।

ଶିକ୍ଷାଗତ କ୍ଷେତ୍ରରେ ମଧ୍ୟ ଅନୁତ୍ତମଙ୍କ ରେକର୍ଡ ଉଲ୍ଲେଖନୀୟ। ସେ ଭବାନୀପାଟଣାର ବିମଳା କନଭେଣ୍ଟ ସ୍କୁଲରୁ ମାଟ୍ରିକରେ ୯୮ ପ୍ରତିଶତ ନମ୍ବର ଏବଂ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରୁ ଯୁକ୍ତ ଦୁଇ ବିଜ୍ଞାନରେ ୯୫.୬ ପ୍ରତିଶତ ନମ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ନିର୍ଦ୍ଦିଷ୍ଟ ଲକ୍ଷ୍ୟ, କଠିନ ପରିଶ୍ରମ ଓ ନିଷ୍ଠା ହିଁ ସଫଳତାର ଚାବିକାଠି ବୋଲି ସେ କହିଛନ୍ତି। ଅନୁତ୍ତମଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories