କ୍ୟାନସର ରୋଗୀଙ୍କ ପାଇଁ ବଡ ଘୋଷଣା! ଆୟୁଷ୍ମାନ କାର୍ଡରେ ମିଳିବ ଏବେ ମାଗଣା ଚିକିତ୍ସା
ଭୁବନେଶ୍ୱର: କ୍ୟାନସର ରୋଗୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ କ୍ୟାନସର ଚିକିତ୍ସା ପାଇଁ ୧୨୧ଟି ନୂଆ ପ୍ୟାକେଜ୍ ଯୋଡ଼ାଯାଇଛି। ଏହାଦ୍ୱାରା ଆୟୁଷ୍ମାନ କାର୍ଡଧାରୀ ରୋଗୀମାନଙ୍କୁ ମାଗଣାରେ ଉନ୍ନତ ଚିକିତ୍ସା ଯୋଗାଇବା ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର |
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କହିବା ଅନୁସାରେ, ଏହି ନୂଆ ପ୍ୟାକେଜ୍ରେ କେମୋଥେରାପି, ରେଡିଓଥେରାପି ଏବଂ ବିଭିନ୍ନ ଜଟିଳ ଅସ୍ତ୍ରୋପଚାର ସାମିଲ ହୋଇଛି। ଏହି ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ରୋଗୀମାନଙ୍କୁ ଅର୍ଥ ଅଭାବର ସମ୍ମୁଖୀନ ହେବାକୁ ପଡ଼ିବନି କି ଚିକିତ୍ସା ଆଉ ବନ୍ଦ ହେବ ନାହିଁ।
ଆୟୁଷ୍ମାନ କାର୍ଡଧାରୀମାନେ ସରକାରୀ ଓ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲରେ ଏହି ସୁବିଧା ପାଇପାରିବେ। ତେବେ ସରକାରଙ୍କ ଏହି ନିଷ୍ପତ୍ତି କ୍ୟାନସରରେ ପୀଡ଼ିତ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ପାଇଁ ବଡ଼ ଆଶ୍ୱାସନା ଆଣିଛି। ସମସ୍ତଙ୍କୁ ସୁଲଭ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

