ବିବାହ ପାଇଁ ଜିଦ୍, ପ୍ରେମିକାଙ୍କୁ ହତ୍ୟା କଲା ପ୍ରେମିକ; ବଡ଼ରମା ଘାଟିରୁ ମୃତଦେହ ଉଦ୍ଧାର
ସମ୍ବଲପୁର ଜିଲ୍ଲାରେ ପ୍ରେମ ଓ ପ୍ରତାରଣାକୁ କେନ୍ଦ୍ର କରି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। କୁଚିଣ୍ଡା ଥାନା କୁସୁମୀ ଫାଣ୍ଡି ଅନ୍ତର୍ଗତ ମହୁଲଗୁଡ଼ା ଗାଁର ୨୪ ବର୍ଷୀୟା ସରିତା ସାଙ୍କଙ୍କ କ୍ଷତବିକ୍ଷତ ମୃତଦେହ ସମ୍ବଲପୁର-ଦେବଗଡ଼ ଜାତୀୟ ରାଜପଥ-୫୩ର ବଡ଼ରମା ଘାଟି ତଳୁ ଉଦ୍ଧାର ହୋଇଛି। ପୁଲିସ ଏହି ଘଟଣାରେ ପ୍ରେମିକ ଅନିଲ ପୃଷେଠ ଓ ତାଙ୍କ ସହଯୋଗୀ ବୋଲେରୋ ଚାଳକ ଅଶୋକ କିସାନଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଓଢ଼ଣି ଏବଂ ବୋଲେରୋ ମଧ୍ୟ ଜବତ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ସରିତା ଓ ଅନିଲଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଇ ଅନିଲ ସରିତାଙ୍କ ସହ ସମ୍ପର୍କ ରଖିଥିଲେ। କିନ୍ତୁ ସରିତା ବିବାହ ପାଇଁ ଚାପ ପକାଇବାରୁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ପୁଲିସ କହିଛି। ଗତ ୧୭ ତାରିଖରେ ବୁଲିବା ବାହାନାରେ ସରିତାଙ୍କୁ ବୋଲେରୋରେ ନେଇ ଯାଇ ଚଳନ୍ତା ଗାଡ଼ିରେ ଓଢ଼ଣିରେ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ବଡ଼ରମା ଘାଟି ତଳକୁ ଫିଙ୍ଗି ଦେଇଥିବା ଅଭିଯୋଗ ରହିଛି।
ସରିତା ନିଖୋଜ ହେବା ପରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ପ୍ରଥମେ ଅପହରଣ ମାମଲା ରୁଜୁ କରିଥିଲା। ପଚରାଉଚରା ବେଳେ ଅନିଲ ହତ୍ୟାକାଣ୍ଡ ସମ୍ପର୍କରେ ସ୍ୱୀକାରୋକ୍ତି ଦେବା ପରେ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

