ଆଜି ଶ୍ରାବଣ ମାସର ପ୍ରଥମ ସୋମବାର! ବିଭନ୍ନ ଶୈବପୀଠରେ କାଉଡ଼ିଆ ଓ ଭକ୍ତଙ୍କ ଭିଡ଼
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର | ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରମୁଖ ଶୈବପୀଠରେ ସୋମବାର ସକାଳୁ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ପବିତ୍ର ଶ୍ରାବଣ ମାସର ସୋମବାର ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ହଜାର ହଜାର କାଉଡ଼ିଆ ଓ ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ପବିତ୍ର ଜଳ ଆଣି ଶିବମନ୍ଦିରରେ ପହଞ୍ଚିଛନ୍ତି। ବିଭିନ୍ନ ଶୈବପୀଠରେ ସକାଳୁଠାରୁ ଲମ୍ବା ଧାଡ଼ି ଲାଗିଥିବା ବେଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଅର୍ପଣ କଲେ ମନୋକାମନା ପୂରଣ ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ସେଥିପାଇଁ କାଉଡ଼ିଆମାନେ ନିୟମ ଓ ନିଷ୍ଠାର ସହ ବିଭିନ୍ନ ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ମାଇଲ ମାଇଲ ବାଟ ଚାଲି ଶୈବପୀଠରେ ପହଞ୍ଚି ଜଳାଭିଷେକ କରୁଛନ୍ତି। ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଏହି ପରମ୍ପରା ନିଷ୍ଠାର ସହ ପାଳନ କରାଯାଇଥାଏ।
ଭକ୍ତଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ନଦୀଘାଟ, ତୀର୍ଥସ୍ଥଳୀ ଓ ପ୍ରମୁଖ ଶୈବପୀଠଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରଶାସନ ସଜାଗ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ସିସିଟିଭି ନଜରଦାରି ଏବଂ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି।

