ମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ପ୍ରଚାର ପଡିଲା ମହଙ୍ଗା : ଫୋକସ୍ ପ୍ଲସ୍ ଅଫିସ୍ରେ ପୋଲିସର ଚଢ଼ାଉ , ସିଲ୍ ହେଲା କାର୍ଯ୍ୟାଳୟ
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରିବା ଅଭିଯୋଗରେ କ୍ୟାପିଟାଲ ଥାନା ଏବଂ ଖଣ୍ଡଗିରି ପୋଲିସ ଥାନାର ମିଳିତ ସହଯୋଗରେ ରବିବାର ବରମୁଣ୍ଡାସ୍ଥିତ ଫୋକସ୍ ପ୍ଲସ୍ ଟିଭି କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି । ଚଢ଼ାଉ ସମୟରେ ପୋଲିସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ କାର୍ଯ୍ୟାଳୟକୁ ସିଲ୍ କରିଦେଇଛି। ଏହି ମାମଲାରେ ଫୋକସ୍ ପ୍ଲସ୍ ମୁଖ୍ୟ ସୁଧାଂଶୁ ରାଉତଙ୍କୁ ଖୋଜାଯାଉଥିବା ବେଳେ ସେ ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗ କରିଛି ପୋଲିସ।
ଗତ ୧୨ ତାରିଖରେ ବାପୁଜୀନଗରର ଏକ ହୋଟେଲରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଫୋକସ ପ୍ଲସ ଚାନେଲର ମୁଖ୍ୟ ସମ୍ପାଦକ ସୁଧାଂଶୁ ରାଉତ ଏକ ମନ୍ତବ୍ୟ ଦେଇଥିଲେ | ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ସମ୍ପାଦକ ଜଣକ କହିଥିଲେ ଯେ, ଉମରକୋଟର ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କୁ ପାଠ୍ୟପୁସ୍ତକ ତ୍ରୁଟି ସମ୍ବନ୍ଧୀୟ ଖବର ପ୍ରସାରଣ ନ କରିବା ପାଇଁ ୫ ଲକ୍ଷ ଟଙ୍କା ଯାଚିଥିଲେ |ଏହି ବୟାନର ଭିଡିଓ ଭାଇରାଲ୍ ହେବା ପରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସ୍ ଆଶିଷ କୁମାର ଭୋଇ କ୍ୟାପିଟାଲ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ପରେ ପୋଲିସ ମାମଲା ରୁଜୁ କରି ସମ୍ପୃକ୍ତ ସାମ୍ବାଦିକ ପ୍ରୀତିରଞ୍ଜନ ଦାସଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା।
କ୍ୟାପିଟାଲ ଥାନା ଆଇଆଇସି ରାଧାକାନ୍ତ ସାହୁ କହିଛନ୍ତି, ମିଥ୍ୟା ପ୍ରଚାର ସମ୍ପର୍କିତ ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରହିଛି। ତେବେ ସୁଧାଂଶୁ ରାଉତ ତଦନ୍ତରେ ସହଯୋଗ କରିବା ପରିବର୍ତ୍ତେ ଫେରାର ହୋଇଯାଇଥିବାରୁ ତାଙ୍କ କାର୍ଯ୍ୟାଳୟରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି | ଚଢୁଅ ବେଳେ ବହୁ କାଗଜପତ୍ର ଜବତ କରାଯିବା ସହ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।

