ରିଲ୍ସ ପାଇଁ ଗଲା ଜୀବନ! ରେଳବ୍ରିଜରୁ ବ୍ରାହ୍ମଣୀ ନଦୀକୁ ଖସି ଯୁବକ ନିଖୋଜ
ଅନୁଗୋଳ: ସୋସିଆଲ ମିଡିଆ ରିଲ୍ସ କରିବା ନିଶାରୁ ଘଟିଛି ଆଉ ଏକ ଅଘଟଣ | ଅନୁଗୋଳ ଜିଲ୍ଲାର ବ୍ରାହ୍ମଣୀ ନଦୀ ଉପରେ ଥିବା ରେଳବ୍ରିଜରେ ରିଲ୍ସ ଶୁଟିଂ କରୁଥିବା ବେଳେ ଜଣେ ଯୁବକ ଗୋଡ଼ ଖସି ନଦୀକୁ ପଡ଼ି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଲେ ସମଲ ଥାନା ଅନ୍ତର୍ଗତ ବିଲିଣ୍ଡା ଗାଁର ଶୁଭ୍ରାଂଶୁ ପ୍ରଧାନ।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଶୁଭ୍ରାଂଶୁ ତାଙ୍କର ଦୁଇଜଣ ସାଙ୍ଗଙ୍କ ସହ ବ୍ରାହ୍ମଣୀ ନଦୀ ଉପରେ ଥିବା ରେଳବ୍ରିଜକୁ ରିଲ୍ସ ଭିଡିଓ ପ୍ରସ୍ତୁତ କରିବାକୁ ଯାଇଥିଲେ। ଭିଡିଓ ସୁଟିଂ ଚାଲିଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ସେ ସିଧା ବ୍ରାହ୍ମଣୀ ନଦୀକୁ ଖସିପଡ଼ିଥିଲେ। ଘଟଣା ଦେଖି ସାଙ୍ଗମାନେ ସ୍ଥାନୀୟ ଲୋକଙ୍କୁ ଓ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ଓ ସମଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି ଚାଲିଥିବା ସତ୍ତ୍ୱେ ମଧ୍ୟ ଶୁଭ୍ରାଂଶୁଙ୍କର କୌଣସି ସନ୍ଧାନ ମିଳିନାହିଁ। ଉଦ୍ଧାରକାରୀ ଦଳର ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏହି ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି |

