ସୌମ୍ୟରଞ୍ଜନ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ ପଦକ୍ଷେପ; ୫ ଫେରାର ଅଭିଯୁକ୍ତଙ୍କ ବିରୋଧରେ ଜାରି ହେବ ୱାରେଣ୍ଟ
ଭୁବନେଶ୍ୱର: ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଏହି ମାମଲାରେ ଫେରାର ଥିବା ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରୁ ୱାରେଣ୍ଟ ଜାରି କରାଯିବ। ଏହା ସହ ସେମାନଙ୍କୁ ପଳାତକ ଘୋଷଣା କରିବା ପାଇଁ ମଧ୍ୟ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯିବ।
ସୂଚନା ଅନୁସାରେ, ମାମଲାରେ ଗିରଫ ହୋଇଥିବା ୨୦ ଜଣ ଅଭିଯୁକ୍ତଙ୍କ ସହ ଫେରାର ୫ ଜଣଙ୍କ ନାମ ମଧ୍ୟ ଚାର୍ଜସିଟ୍ରେ ସାମିଲ କରାଯିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅର୍ଥାତ୍ ୯୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି ଚଳାଇଛି।
କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଅଗଷ୍ଟ ୭ ତାରିଖରେ ଏହି ବହୁଚର୍ଚ୍ଚିତ ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯିବ। ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି।

