ରାଜଧାନୀରେ ପୁଣି ବିଭତ୍ସ ହତ୍ୟାକାଣ୍ଡ! ଅଭିଯୁକ୍ତ ଫେରାର, ନିଘୋଡ଼ ନିଦ୍ରାରେ ପୋଲିସ ପ୍ରଶାସନ
ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ହତ୍ୟା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ | ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଝରଣା ବସ୍ତିର ବାସିନ୍ଦା ବନମାଳୀ ଭୋଳଙ୍କୁ ଆକ୍ରମଣ କରାଯାଇଥିଲା। ଏହାପରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ପୁଣିଥରେ ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।
ପୋଲିସ ସୂଚନା ଅନୁସାରେ, ଗତ ଜୁଲାଇ ୧୫ ତାରିଖରେ କିଛି ଦୁର୍ବୃତ୍ତ ବନମାଳୀଙ୍କୁ ଘରୁ ଟାଣି ଆଣି ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରବର୍ତ୍ତୀ ସମୟରେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି।
ଘଟଣାରେ ପୋଲିସ ଆଦିତ୍ୟ ଲେଙ୍କା ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସୁଶୀଲ ସ୍ୱାଇଁ ଏବେ ମଧ୍ୟ ଫେରାର ରହିଛି। ତାଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ଖାନ ତଲାସି ଚଳାଇଛି। ଆବଶ୍ୟକ ପଡ଼ିଲେ ଘଟଣାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

