ବହଳପଦର ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଚଞ୍ଚକତା ଅଭିଯୋଗ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)ର ହିତାଧିକାରୀ ତାଲିକାକୁ ନେଇ ବିବାଦ ଦେଖାଦେଇଛି। ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶିତ ୨୯୪ ଜଣ ହିତାଧିକାରୀଙ୍କ ତାଲିକାରେ ବ୍ୟାପକ ଅନିୟମିତତା ଓ ଚଞ୍ଚକତା ହୋଇଥିବା ଅଭିଯୋଗ ଉଠିଛି।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ଅନେକ ପ୍ରକୃତ ଯୋଗ୍ୟ ଗରିବ, ଅସହାୟ, ବିଧବା ଓ ଭିନ୍ନକ୍ଷମ ପରିବାରଙ୍କ ନାମ ତାଲିକାରେ ସ୍ଥାନ ପାଇନାହିଁ। ଅନ୍ୟପକ୍ଷରେ, ପୂର୍ବରୁ ଆବାସ ଯୋଜନାରେ ଘର ପାଇଥିବା ବ୍ୟକ୍ତିଙ୍କ ନାମ ପୁଣି ଥରେ ତାଲିକାରେ ସାମିଲ କରାଯାଇଥିବା ସହ ସ୍ୱାମୀ ପୂର୍ବରୁ ଘର ପାଇଥିଲେ ଏବେ ସ୍ତ୍ରୀଙ୍କ ନାମ କିମ୍ବା ସ୍ତ୍ରୀ ପାଇଥିଲେ ସ୍ୱାମୀଙ୍କ ନାମ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଏପରିକି କେତେକ ପରିବାର ପୂର୍ବରୁ ଦୁଇଟି ଘର ପାଇଥିଲେ ମଧ୍ୟ ପୁଣି ଥରେ ସେମାନଙ୍କ ନାମ ତାଲିକାରେ ରହିଥିବା ନେଇ ପ୍ରଶ୍ନ ଉଠିଛି।
ଏହି ତାଲିକା କେଉଁ ଆଧାରରେ ଏବଂ କାହା ଦ୍ୱାରା ପ୍ରସ୍ତୁତ ହେଲା, ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏହି ତାଲିକାରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ କରି ଏହାର ନିରପେକ୍ଷ ତଦନ୍ତ ଦାବି ହେଉଛି।ଅନ୍ୟପକ୍ଷରେ, ପଞ୍ଚାୟତ କାର୍ଯ୍ୟାଳୟରେ ତାଲିକା ପ୍ରକାଶ ପାଇବା ପରେ ଦଲାଲମାନେ ସକ୍ରିୟ ହୋଇପଡ଼ିଥିବା ଅଭିଯୋଗ ମଧ୍ୟ ଆସିଛି। ନାମ ଗୋପନ ରଖିବା ସର୍ତ୍ତରେ ଅମରପାଲି ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି ଯେ, ତାଲିକାରେ ନାମ ଥିବା କେତେକ ହିତାଧିକାରୀଙ୍କଠାରୁ ଟଙ୍କା ଦାବି କରାଯାଉଛି। ଟଙ୍କା ନ ଦେଲେ କିମ୍ବା ଏହି କଥା ପ୍ରକାଶ କଲେ ବିଭିନ୍ନ ବାହାନା ଦେଖାଇ ତାଲିକାରୁ ନାମ ବାଦ ଦିଆଯିବ ବୋଲି ଭୟଭୀତ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।
ଅମରପାଲି ଗ୍ରାମର ଦେବଦତ୍ତ ସାହୁ, ଅସିତ ଅଙ୍ଗ୍ରିଆ, କୁଶ କମିଲ, ପ୍ରକାଶ ଅଙ୍ଗ୍ରିଆ, ପୂର୍ଣ୍ଣଚନ୍ଦ୍ର ସାହୁ, ରମେଶ ସାହୁ, ହାତିଲିମୁଣ୍ଡା ଗ୍ରାମର ରାତ୍ର ଛତ୍ରିଆ, ଚିଙ୍ଗୀରାନାଲି ଗ୍ରାମର ଗୋପାଳ ପୋଢ଼, ମାନଭଞ୍ଜନ ତମଲିଆ ଏବଂ ଭାଲୁଡୁଙ୍ଗୁରୀ ଗ୍ରାମର ବିଧବା ମହିଳା ବୁଇ ମାଝୀଙ୍କ ସମେତ ଅନେକ କହିଛନ୍ତି ଯେ, ସେମାନେ ପ୍ରକୃତ ଯୋଗ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ପାଇନାହାନ୍ତି। ମାତ୍ର ପୂର୍ବରୁ ଘର ପାଇଥିବା ଲୋକମାନେ ବାରମ୍ବାର ସୁବିଧା ପାଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଯାଞ୍ଚ କରାଯାଇଥିଲା। ତଥାପି ପୂର୍ବରୁ ଘର ପାଇଥିବା କେତେକ ବ୍ୟକ୍ତି ନୂତନ ଘର ନିର୍ମାଣ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଅନେକ ଯୋଗ୍ୟ ହିତାଧିକାରୀ ଙ୍କ ନାମ ତାଲିକା ରେ ନାହିଁ, ତଦନ୍ତ କରି ସେମାନଙ୍କୁ ତୁରନ୍ତ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ବହଳପଦର ଗ୍ରାମର ବିଶ୍ୱାମିତ୍ର ସେଠୀ। ଏହି ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରିବା ସହ ଚଞ୍ଚକତା ମାଧ୍ୟମରେ ନାମ ସାମିଲ କରାଯାଇଥିବା ବ୍ୟକ୍ତିଙ୍କ ନାମ ବାଦ ଦେବା ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।
ଏ ସମ୍ପର୍କରେ ବହଳପଦର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, “ଯେଉଁମାନେ ପୂର୍ବରୁ ଆବାସ ଯୋଜନାରେ ଘର ପାଇଛନ୍ତି, ସେମାନଙ୍କ ନାମ ତାଲିକାରୁ ବାଦ ଦିଆଯିବ।”
ଅନ୍ୟପକ୍ଷରେ, ଏହି ଘଟଣା ସମ୍ପର୍କରେ ବୀରମହାରାଜପୁର ବିଡିଓ ରାଜୀବ ହାଁସଦାଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍ ଗ୍ରହଣ କରିନଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ।

