ଓଡ଼ିଶା ଜେଲରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା; AI CCTV, ଡ୍ରୋନ୍ ଓ ଆଧୁନିକ ନଜରଦାରି ଉପରେ ଜୋର
ଓଡ଼ିଶାର ଜେଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ମଙ୍ଗଳବାର ପ୍ରିଜନ୍ସ ଡେଭେଲପମେଣ୍ଟ ବୋର୍ଡ ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ ଜେଲର ସୁରକ୍ଷା ଓ ଭିତ୍ତିଭୂମି ବିକାଶ ନେଇ ବିସ୍ତୃତ ସମୀକ୍ଷା କରିଥିଲେ। ଭୁବନେଶ୍ୱର, ଯାଜପୁର ଓ ଭଦ୍ରକରେ ଆଦର୍ଶ କାରାଗାର ନିର୍ମାଣ ପ୍ରସ୍ତାବ ନେଇ ମଧ୍ୟ ଆଲୋଚନା ହୋଇଛି।
ମୁଖ୍ୟ ସଚିବ ଜେଲ ଗୁଇନ୍ଦା ୟୁନିଟ୍କୁ ସଶକ୍ତ କରିବା ସହ ଅଧିକ ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କାରାବନ୍ଦୀଙ୍କ ପାଇଁ ଟେଲିଫୋନ ସୁବିଧା ଜେଲ ମାନୁଆଲ ଅନୁଯାୟୀ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି। ଏହାଅନୁସାରେ ପ୍ରତ୍ୟେକ କଏଦୀଙ୍କୁ ସପ୍ତାହକୁ କେବଳ ଦୁଇଥର, ପ୍ରତ୍ୟେକ ଥର ଚାରି ମିନିଟ୍ କଥାହେବାର ସୁବିଧା ମିଳିବ।
ବୈଠକରେ ଜେଲ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ୨୦ଟି କାରାଗାରରେ ଭିଡିଓ ଆନାଲିଟିକ୍ସ ସହ AI ଆଧାରିତ CCTV କ୍ୟାମେରା ସ୍ଥାପନ, ପ୍ରାଚୀରର ଉଚ୍ଚତା ବୃଦ୍ଧି ସହ କନସର୍ଟିନା ତାର ଲଗାଇବା, ଡ୍ରୋନ୍, ବଡି-ୱର୍ନ କ୍ୟାମେରା, ଡିପ୍ ସର୍ଚ୍ଚ ମେଟାଲ ଡିଟେକ୍ଟର ଏବଂ ମୋବାଇଲ ଫୋନ ଠାବ ପାଇଁ ନନ୍-ଲିନିୟର ଜଙ୍କସନ୍ ଡିଟେକ୍ଟର ଭଳି ଆଧୁନିକ ଉପକରଣ ବ୍ୟବହାର ଉପରେ ମଧ୍ୟ ଜୋର ଦିଆଯାଇଛି। ଏହାସହ ବରିଷ୍ଠ ଜେଲ ଅଧିକାରୀ, ପୁଲିସ, ଗୁଇନ୍ଦା ବିଭାଗ ଓ ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ନିୟମିତ ସୁରକ୍ଷା ଯାଞ୍ଚ ଏବଂ ଅଚାନକ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷାରେ ଅବହେଳା ପ୍ରମାଣିତ ହେଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ସଚିବ ଚେତାବନୀ ଦେଇଛନ୍ତି।

