NEET ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ନବୀନ; ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ
NEET ପ୍ରଶ୍ନପତ୍ର ଲିକ୍ ଏବଂ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ନୂଆଦିଲ୍ଲୀସ୍ଥିତ ବାସଭବନରେ ଦଳର ରାଜ୍ୟସଭା ସାଂସଦମାନଙ୍କ ସହ ଆଲୋଚନା ପରେ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ନବୀନ କହିଛନ୍ତି, ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ନିର୍ମମ ଆକ୍ରମଣ ହୋଇଛି ଏବଂ ବର୍ତ୍ତମାନ ପରିସ୍ଥିତିକୁ ଦେଖି ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦେବା ଉଚିତ।
ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡିର ସାଂସଦ ସନ୍ତୃପ୍ତ ମିଶ୍ର, ସସ୍ମିତ ପାତ୍ର, ସୁଲତା ଦେଓ ଓ ଶୁଭାଶିଷ ଖୁଣ୍ଟିଆ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚି ପୁଲିସ ମାଡ଼ରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ସେମାନେ ଆହତ ଛାତ୍ରଛାତ୍ରୀଙ୍କୁ ସମବେଦନା ଜଣାଇବା ସହ ଏହି ଲଢ଼େଇରେ ବିଜେଡି ସେମାନଙ୍କ ସହ ରହିବ ବୋଲି ଆଶ୍ୱାସନା ଦେଇଥିଲେ। ଦଳ ପକ୍ଷରୁ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଉପାୟରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ମଧ୍ୟ କୁହାଯାଇଛି।
ଏହାପୂର୍ବରୁ ବିଜୟ ଚୌକରେ ବିଜେଡି ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ବଳପ୍ରୟୋଗକୁ ନିନ୍ଦା କରିଥିଲେ ଏବଂ ସଂସଦରେ ଏହି ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ସୋନମ ୱାଙ୍ଗଚୁକଙ୍କୁ ଭେଟିବା ନିଷ୍ପତ୍ତି ଶେଷ ମୁହୂର୍ତ୍ତରେ ବାତିଲ ହେବା ଏବଂ ଦଳର ଯୁବ, ଛାତ୍ର ଓ ମହିଳା ଶାଖାର ନେତାମାନଙ୍କୁ ଦିଲ୍ଲୀରୁ ଫେରାଇ ଦିଆଯିବାକୁ ନେଇ ବିଜେଡିର ଆଭିମୁଖ୍ୟ ଉପରେ ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି।

