‘କ୍ଷମା ମାଗନ୍ତୁ ଭର୍ତ୍ତୃହରି’, ବିଜେପି ସାଂସଦଙ୍କ ବୟାନକୁ ନେଇ ବିଜେଡିର କଡ଼ା ପ୍ରତିବାଦ
ଭୁବନେଶ୍ୱର: ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଓଡ଼ିଶା ରାଜନୀତି ଏବେ ହଇଚଇ ସୃଷ୍ଟି ହୋଇଛି | ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଦିଆଯାଇଥିବା ତାଙ୍କ ମନ୍ତବ୍ୟକୁ ନେଇ ବିଜୁ ଜନତା ଦଳ (ବିଜେଡି) କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଭର୍ତ୍ତୃହରି ମହତାବ ତୁରନ୍ତ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ୍ ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ଛାତ୍ର ସମାଜ ତାଙ୍କୁ କେବେ କ୍ଷମା କରିବେ ନାହିଁ ବୋଲି ବିଜେଡି ଚେତାବନୀ ଦେଇଛି।
ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶବ୍ୟାପୀ ଛାତ୍ରଛାତ୍ରୀମାନେ ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପରିଚାଳନାରେ ସୁଧାର ପାଇଁ ଦାବି କରି ପ୍ରତିବର ଆରମ୍ଭ କରିଛନ୍ତି । ଏଭଳି ପରିସ୍ଥିତିରେ ସରକାର ସେମାନଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ନୀରବ ରହିବା ସହ ପ୍ରତିବାଦରତ ଛାତ୍ରମାନଙ୍କୁ ଦେଶଦ୍ରୋହୀ ଏବଂ ଚୀନ୍-ପାକିସ୍ତାନର ଏଜେଣ୍ଟ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ ଅଭିଯୋଗ କରିଛନ୍ତି। ଏହା ଛାତ୍ର ସମାଜର ଭାବାବେଗକୁ ଆଘାତ ଦେଇଛି ବୋଲି ବିଜେଡି କହିଛି।
ପ୍ରତାପ ଜେନା ଆହୁରି କହିଛନ୍ତି ଯେ, କଟକ ସାଂସଦ ଭର୍ତ୍ତୃହରି ମହତାବ ଯେଉଁଭଳି ଭାବେ ନବୀନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି, ତାହା ତାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ଶୋଭା ପାଉନାହିଁ । ବିଜେଡି ସାଂସଦ ଶସ୍ମିତ ପାତ୍ର କହିଛନ୍ତିଯେ, ନବୀନ ପଟ୍ଟନାୟକ ନିଜ ନେତୃତ୍ୱ ସମୟରେ ସବୁବେଳେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇଆସିଛନ୍ତି | ନିୟମ ଉଲଂଘନ କରିବାରେ ସେ ମନ୍ତ୍ରୀ ମାନଙ୍କୁ ବରଖାସ୍ତ ମଧ୍ୟ କରିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତିଯେ, ନବୀନ ବାବୁ କିମ୍ବା ବିଜେଡି କକ୍ରୋଚ ପାର୍ଟିକୁ ସମର୍ଥନ କରୁନାହାନ୍ତି | | କିନ୍ତୁ ଛାତ୍ର ଛାତ୍ରୀଙ୍କ ପରୀକ୍ଷାରେ ହୋଇଥିବା ଦୁର୍ନୀତିକୁ ଆମେ ବିରୋଧ କରୁଚୁ ଏବଂ ଏହାର ଉତ୍ତର ରଖିବାକୁ ସରକାରଙ୍କ ଦାବି କରୁଛୁ |

