ମୁଟୁରୁମୁଣ୍ଡା ସେବାଶ୍ରମରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବାକୁ ନେଇ ଉଠିଲା ପ୍ରଶ୍ନ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ବ୍ଲକର ମୁଟୁରୁମୁଣ୍ଡା ସେବାଶ୍ରମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସେବାଶ୍ରମରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ରୀ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଲବସା ଗ୍ରାମର ଜସ୍ମିନ୍ତା ବାଡାୟୁ। ଚଳିତ ଶିକ୍ଷାବର୍ଷରେ ସେ ମୁଟୁରୁମୁଣ୍ଡା ସେବାଶ୍ରମରେ ନାମ ଲେଖାଇ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିଲେ।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଜସ୍ମିନ୍ତା ଅସୁସ୍ଥ ଅନୁଭବ କରିବା ପରେ ତାଙ୍କ ବଡ଼ ଭଉଣୀ ପ୍ରୀତି ବାଡାୟୁଙ୍କୁ ଜଣାଇଥିଲେ। ପ୍ରୀତି ତୁରନ୍ତ ସେବାଶ୍ରମର ମେଟ୍ରନ୍ ଜୟନ୍ତୀବାଳା ସାହୁଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ। ତେବେ ରାତି ହୋଇଯାଇଥିବାରୁ ତୁରନ୍ତ ଚିକିତ୍ସାଳୟକୁ ନନେଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି। ସକାଳେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବା ପରେ ସେବାଶ୍ରମର ପ୍ରଧାନ ଶିକ୍ଷକ ପ୍ରଣବ କିଶୋର ପ୍ରଧାନ ତାଙ୍କୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।
ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଜସ୍ମିନ୍ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ଖବର ପାଇ ପରିବାର ଲୋକେ ରେଢ଼ାଖୋଲରେ ପହଞ୍ଚିଥିବା ବେଳେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଏହି ଘଟଣା ପରେ ସେବାଶ୍ରମର ସ୍ୱାସ୍ଥ୍ୟସେବା, ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଓ ପରିଚାଳନାକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଛି।

