ମୋବାଇଲ ଦେଖିବାକୁ ମନା କରିବାରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା! ସେପଟେ ପୁଅର ମୃତ୍ୟୁ ଖବର ଶୁଣି ମାଆ ପିଇଲେ ବିଷ
କଟକ: କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ହାତୀଖାନା ଗ୍ରାମରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଦେଖିବାକୁ ମାଆ ପୁଅକୁ ମନା କରିବାରୁ ଦଶମ ଶ୍ରେଣୀର ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏକମାତ୍ର ପୁଅର ମୃତ୍ୟୁ ଖବର ଶୁଣି ମାଆ ମଧ୍ୟ ବିଷ ପିଇଦେଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମୃତ ଛାତ୍ର ହେଲେ ସ୍ୱର୍ଗତ ସୁଦାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ଆୟୁଷ୍ମାନ ସାହୁ। ସେ ସ୍ଥାନୀୟ ପୂର୍ବକଚ୍ଛ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀର ଛାତ୍ର ଥିଲେ।
ସୂଚନା ଅନୁଯାୟୀ, ଆୟୁଷ୍ମାନଙ୍କ ବାପାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଥିବାରୁ ସେ ସେଦିନ ସ୍କୁଲ ଯାଇନଥିଲେ ଏବଂ ଘରେ ରହି ମୋବାଇଲ ବ୍ୟବହାର କରୁଥିଲେ। ଏହାକୁ ନେଇ ତାଙ୍କ ମାଆ ବାରଣ କରିବାରୁ ସେ ଅଭିମାନ କରି ଘରେ ଥିବା କୀଟନାଶକ ଔଷଧ ପିଇଦେଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଗତପୁରର ଏକ ଘରୋଇ ହସ୍ପିଟାଲ ଏବଂ ପରେ କଟକ ବଡ଼ ମେଡିକାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଆୟୁଷ୍ମାନଙ୍କୁ ମୃତ ଘୋଷଣା କରିଥିଲେ।
ପୁଅର ମୃତ୍ୟୁ ଖବର ପାଇ ଆୟୁଷ୍ମାନଙ୍କ ମାଆ ମଧ୍ୟ ବିଷ ପିଇଦେଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଘଟଣାର ଖବର ପାଇ ଜଗତପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

