ଆସନ୍ତାକାଲି ବାହୁଡ଼ା ଯାତ୍ରା;୪ଟା ପୂର୍ବରୁ ଗଡ଼ିବ ମହାପ୍ରଭୁଙ୍କ ରଥ: ଅରବିନ୍ଦ ପାଢ଼ୀ
ପୁରୀ: ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା | ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ | ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେଲେ ଅପରାହ୍ନ ୪ଟା ପୂର୍ବରୁ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ସେବାୟତ ନିଯୋଗ ସହ ଉତ୍ତମ ସମନ୍ୱୟ ରଖାଯାଇଥିବା ସେ କହିଛନ୍ତି।
ଏପଟେ ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଶେଷ ଦର୍ଶନର ସୁଯୋଗ ମିଳୁଥିବାରୁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ ଚାଲିବ। ଏହାପରେ ଗୁଣ୍ଡିଚା ମନ୍ଦିରର ଶୋଧ କାର୍ଯ୍ୟ କରାଯିବ ଏହାପରେ ବାହୁଡ଼ା ଯାତ୍ରା ପାଇଁ ଆବଶ୍ୟକ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯିବ।
ମୁଖ୍ୟ ପ୍ରଶାସକ କହିଛନ୍ତି, ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ପୂର୍ବରୁ ସମସ୍ତ ନୀତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପାଗ ଅନୁକୂଳ ଥିବାରୁ ଏଥର ଭକ୍ତଙ୍କ ସମାଗମ ମଧ୍ୟ ବେଶି ରହିଛି। ବାହୁଡ଼ା ଯାତ୍ରା ସମୟରେ ଶୃଙ୍ଖଳିତ ରଥଟଣା ଏବଂ ଭକ୍ତମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

