Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଫାଇଲ ହଜିବା ଘଟଣା : ପାଣ୍ଡିଆନ ଓ ମନୋଜ ମିଶ୍ରଙ୍କୁ ନୋଟିସ, ଏବେ କଣ ଅସିତ ତ୍ରିପାଠୀଙ୍କ ପାଳି?

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ସମ୍ପର୍କିତ ଫାଇଲ ହଜିବା ଘଟଣା। ଯେଉଁଥିରେ ରହିଥିଲା ଜଷ୍ଟିସ ନାଇଡୁ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ୧୫00 ପୃଷ୍ଠାର ଏକ ତଦନ୍ତ ରିପୋର୍ଟ। ଏହି ଘଟଣା ପଛରେ କାହାର ହାତ ରହିଛି? କିଏ ଏହାର ମୁଖ୍ୟ ଅଭିଯୁକ୍ତ, ଏନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଦୁଇଜଣଙ୍କୁ ଯାଇଛି ନୋଟିସ। ପୂର୍ବତନ 5T ସଚିବ ଭି.କେ. ପାଣ୍ଡିଆନ ଏବଂ ଆଇଟି ଅଧିକାରୀ ମନୋଜ ମିଶ୍ରଙ୍କୁ ପଠାଯାଇଛି ନୋଟିସ। କିନ୍ତୁ ଏହା ପଛରେ ଆଉ କାହାର ହାତ ରହିଛି କି? ୨୦୧୫ ମସିହାରେ ଜଷ୍ଟିସ ନାଇଡୁ ତାଙ୍କ ତଦନ୍ତ ରିପୋର୍ଟଟି ଗୃହ ବିଭାଗକୁ ଦେଇଥିଲେ। କିନ୍ତୁ ଅସିତ ତ୍ରିପାଠୀଙ୍କ ପାଖରେ ପ୍ରାୟ ୧୦ ମାସ ଧରି ଏହି ଫାଇଲଟି ପଡ଼ି ରହିଥିଲା। ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ବୋଲି ଚର୍ଚ୍ଚା ହେଉଛି । ଏହାପରେ ଚିଫ ସେକ୍ରେଟାରି ଆଦିତ୍ୟ ପାଢ଼ୀଙ୍କ ପାଖକୁ ଫାଇଲଟି ପଠାଯାଇଥିଲା ଏବଂ ସେ ପାଇବା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଫାଇଲଟି ପଠାଇଥିଲେ। କିନ୍ତୁ ପଠାଇବା ପରେ ମଧ୍ୟ କୌଣସି ଆକ୍ସନ ନିଆଯାଇନଥିଲା। ବରଂ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଫାଇଲଟି ପଡ଼ି ରହିଥିଲା। ତାଙ୍କ ପାଖରେ ପ୍ରାୟ ୭ ବର୍ଷ ୮ ମାସ ଏବଂ ୧୫ ଦିନ ପର୍ଯ୍ୟନ୍ତ ଫାଇଲଟି ରହିଥିଲା। ଏବଂ ଗୃହ ବିଭାଗର ସଚିବ ଶରତ ଚନ୍ଦ୍ର ମାରାଣ୍ଡି ମଧ୍ୟ ଅଭିଯୋଗ କରିଥିଲେ ଯେ, ନବୀନଙ୍କ କାର୍ଯ୍ୟକାଳ ସମୟରେ ଫାଇଲଟି ହଜିଛି। ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ଫାଇଲ କିପରି ହଜିଲା ଆଉ କାହାକୁ ବଞ୍ଚାଇବା ପାଇଁ ଫାଇଲଟି ଗାଏବ କରାଗଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।

କିନ୍ତୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ୨୦୨୪ ନିର୍ବାଚନ ପରେ ଓଡ଼ିଶାରେ ସରକାର ବଦଳିଲା। ନବୀନଙ୍କ ସରକାରଙ୍କ ଅନ୍ତ ହେଲା ଆଉ କ୍ଷମତାକୁ ଆସିଲା ବିଜେପି। ତେବେ ଆଶ୍ଚର୍ଯ୍ୟକର କଥା ହେଲା, ଓଡ଼ିଶାରେ ସରକାର ଗଠନ କରିବାର ଏକ ବର୍ଷ ପରେ ବିଜେପି ଏହି ଫାଇଲ ଉପରେ ଗୁରୁତ୍ୱ ଦେଲା। ହଠାତ୍ ଏକ ବର୍ଷ ପରେ ସେମାନଙ୍କର ଏହି ଫାଇଲ କଥା ମନେ ପଡ଼ିଲା। ତେବେ ୨୦୨୫ ଅକ୍ଟୋବର ୨୩ ଏବଂ ନଭେମ୍ବର ୨୫ରେ ଗୃହ ବିଭାଗ ପକ୍ଷରୁ ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ଚିଠି କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୨୪ ଜୁନ ୧୨ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ପକ୍ଷରୁ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ। ନୂଆ ଭାବେ ସରକାର ଗଠନ କଲା ବିଜେପି। କିନ୍ତୁ ଯେଉଁ ଘଟଣାକୁ ଅସ୍ତ୍ର କରି ସେ ନିର୍ବାଚନ ଲଢ଼ିଥିଲେ, ସେଭଳି ଗୁରୁତ୍ୱପୂର୍ଣ୍ଣ କେସ୍ ବିଷୟରେ ଶାସନକୁ ଆସିବା ପରେ କାହିଁକି ତଦନ୍ତ ଆରମ୍ଭ ହୋଇନଥିଲା? କାରଣ ଶପଥ ନେବାର ତାରିଖ ଏବଂ ଫାଇଲ ପଠାଇବାର ତାରିଖ ମଧ୍ୟରେ ୧ ବର୍ଷରୁ ଅଧିକ ସମୟ ହୋଇଯାଇଥିଲା। ତେବେ ଏତେ ସମୟ ବିଜେପି କରୁଥିଲା କଣ? ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଥିଲେ? ଏନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠୁଛି। ଏବେ ଦୁଇଜଣଙ୍କୁ ଏଥିପାଇଁ ନୋଟିସ ଦିଆଯାଇଛି। ତେବେ ଆଗକୁ ଏହି ଘଟଣାରେ ଆଉ କାହାକୁ କାହାକୁ ନୋଟିସ ଯାଉଛି ଏବଂ ସରକାର କେତେ ଦୂର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଆଗାମୀ ସମୟ କହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories