Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ IAS ଉପେନ୍ଦ୍ର ନାଥଙ୍କୁ ହାଜିରା ନୋଟିସ, CMOରୁ ରିପୋର୍ଟ ଗାଏବ ଘଟଣାରେ ତଦନ୍ତ ଜୋରଦାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ଗାଏବ ଘଟଣାରେ ପୁଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି। ଏହି ମାମଲାରେ ପୂର୍ବତନ IAS ଅଧିକାରୀ ଉପେନ୍ଦ୍ର ନାଥ ବେହେରାଙ୍କୁ କ୍ୟାପିଟାଲ ଥାନା ପୁଲିସ ହାଜିରା ନୋଟିସ ଜାରି କରିଛି। ଆସନ୍ତା ୨୬ ତାରିଖ ପୂର୍ବାହ୍ନ ୧୧ଟାରେ କ୍ୟାପିଟାଲ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ତାଙ୍କୁ ରହିଛି ନିର୍ଦ୍ଦେଶ ।

ତଦନ୍ତକାରୀ ଅଧିକାରୀ ବିପିନ ବିହାରୀ ହୋତାଙ୍କ ସ୍ୱାକ୍ଷରିତ ନୋଟିସରେ ଉଲ୍ଲେଖ ରହିଛି ଯେ, ଏହି ଘଟଣା ସହ ଜଡିତ କୌଣସି ଦସ୍ତାବେଜ, ରେକର୍ଡ, ଇଲେକ୍ଟ୍ରୋନିକ୍ ଉପକରଣ କିମ୍ବା ଅନ୍ୟ ପ୍ରମାଣ ଥିଲେ ସେଗୁଡ଼ିକ ସହ ହାଜର ହେବାକୁ ପଡିବ। କାରଣ ୨୦୧୫ ନଭେମ୍ବରରୁ ୨୦୧୭ ଜାନୁଆରୀ ପର୍ଯ୍ୟନ୍ତ ଉପେନ୍ଦ୍ର ନାଥ ବେହେରା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ସେହି ସମୟରେ ଏ.ଏସ୍‌. ନାଇଡୁଙ୍କ ଦ୍ୱାରା ପ୍ରସ୍ତୁତ କନ୍ଧମାଳ ଦଙ୍ଗା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ସମ୍ପର୍କିତ ପ୍ରାୟ ୧୫୦୦ ପୃଷ୍ଠାର ତଦନ୍ତ ରିପୋର୍ଟ CM ଅଫିସକୁ ଆସିଥିଲା। ପରେ ସେହି ଫାଇଲ୍‌ ଗାଏବ ହେବା ଘଟଣାରେ ସେହି ସମୟରେ ଫାଇଲ୍‌ ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉଛି।

ସୂଚନାଯୋଗ୍ୟ ,ଏହି ମାମଲାରେ ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଏପର୍ଯ୍ୟନ୍ତ ଚାରିଜଣ ପୂର୍ବତନ IAS ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି। ପୂର୍ବତନ IAS ରାଜେଶ ବର୍ମା ପୂର୍ବରୁ ନୋଟିସ ପାଇଥିଲେ ମଧ୍ୟ ନିର୍ଦ୍ଧାରିତ ତାରିଖରେ ହାଜର ହୋଇନଥିବାରୁ ତାଙ୍କୁ ପୁଣିଥରେ ୩୦ ତାରିଖରେ ହାଜର ହେବାକୁ ନୋଟିସ ଦିଆଯାଇଛି। ଏହାପୂର୍ବରୁ ପୂର୍ବତନ IAS ଭି.କେ. ପାଣ୍ଡିଆନଙ୍କୁ ମଧ୍ୟ ୨୫ ତାରିଖରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିବାବେଳେ, ପୂର୍ବତନ IAS ମନୋଜ ମିଶ୍ର ପୂର୍ବରୁ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିସାରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ