ହେଲିକପ୍ଟର ଗସ୍ତ ମାମଲାରେ ନବୀନ-ପାଣ୍ଡିଆନଙ୍କ ଜବାବ! ‘ରାଜନୈତିକ ଉଦ୍ଦେଶ୍ୟରେ ଦାଏର ହୋଇଛି ମାମଲା’
ଭୁବନେଶ୍ୱର: ତତ୍କାଳୀନ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ଚାଲିଥିବା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି.କେ. ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଜଜ୍ଙ୍କ ଅଦାଲତରେ ନିଜ ପକ୍ଷ ରଖିଛନ୍ତି। ଉଭୟ ନିଜ ଓକିଲଙ୍କ ମାଧ୍ୟମରେ ପୃଥକ୍ ଭାବେ ଜବାବ ଦାଖଲ କରିଛନ୍ତି। ଜୁଲାଇ ୧୫ ସୁଦ୍ଧା ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୧ରେ ହେବାର ରହିଛି । ଏହି ମାମଲାରେ ଓକିଲ ସୁଧୀର ଚରଣ ମହାନ୍ତିଙ୍କ ଦ୍ୱାରା ଦାଏର ରିଭିଜନ ପିଟିଶନ ଆଧାରରେ କୋର୍ଟ ଉଭୟଙ୍କୁ ନୋଟିସ ଜାରି କରିଥିଲେ।
ତେବେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଦାଖଲ ଜବାବରେ କୁହାଯାଇଛି ଯେ, ତାଙ୍କ ବିରୋଧରେ କୌଣସି ସ୍ପଷ୍ଟ ପ୍ରମାଣ କିମ୍ବା ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। କେବଳ ସେ ନିର୍ଦ୍ଦେଶ ଦେଇଥିଲେ ବୋଲି ସାଧାରଣ ଅଭିଯୋଗ କରାଯାଇଛି। ସେହିପରି ପାଣ୍ଡିଆନଙ୍କ ପକ୍ଷରୁ କୁହାଯାଇଛି ଯେ, ଅଭିଯୋଗକାରୀ ହେଲିକପ୍ଟର ଗସ୍ତର କୌଣସି ତାରିଖ, ସ୍ଥାନ କିମ୍ବା ଖର୍ଚ୍ଚ କିଏ ବହନ କରିଥିଲେ, ସେ ସମ୍ପର୍କରେ କୌଣସି ଠୋସ ପ୍ରମାଣ ଦେଇପାରିନାହାନ୍ତି। ତେଣୁ ପ୍ରତାରଣା, ଜାଲିଆତି କିମ୍ବା ବିଶ୍ୱାସଘାତକତା ଭଳି ଦଫା ଲାଗୁ କରିବାର କୌଣସି ଆଇନଗତ ଆଧାର ନାହିଁ। ଉଭୟଙ୍କ ଓକିଲ କୋର୍ଟରେ ଦାବି କରିଛନ୍ତି ଯେ, ଏହି ମାମଲା କେବଳ ରାଜନୈତିକ ଉଦ୍ଦେଶ୍ୟରେ ଦାଏର କରାଯାଇଛି ଏବଂ ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଏହାର ମୂଳ ଲକ୍ଷ୍ୟ ଲକ୍ଷ ଥିବା ଲାଗୁଛି |
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଏହି ମାମଲାରେ ପୋଲିସ ତଦନ୍ତ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଥିଲେ। କୋର୍ଟଙ୍କ ମତ ଥିଲା ଯେ, ଅଭିଯୋଗ ସାଧାରଣ ଓ ଅସ୍ପଷ୍ଟ ଥିବା ସହ ପ୍ରାଥମିକ ପ୍ରମାଣର ଅଭାବ ରହିଛି। ଏହି ରାୟକୁ ଚ୍ୟାଲେଞ୍ଜ କରି ଅଭିଯୋଗକାରୀ ଜିଲ୍ଲା ଜଜ୍ଙ୍କ ଅଦାଲତରେ ରିଭିଜନ ପିଟିଶନ ଦାଏର କରିଥିଲେ। ଆବେଦନରେ ଅଭିଯୋଗ କରାଯାଇଛି ଯେ, ୨୦୨୩ ମସିହାରେ ପାଣ୍ଡିଆନ ପ୍ରାୟ ୩୦୦ ଥର ହେଲିକପ୍ଟରରେ ଗସ୍ତ କରିଥିଲେ ଏବଂ ଏହାର ଖର୍ଚ୍ଚ ବେସରକାରୀ ସଂସ୍ଥାମାନେ ବହନ କରିଥିଲେ। ତେବେ ନବୀନ ଓ ପାଣ୍ଡିଆନଙ୍କ ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ, ଅସ୍ପଷ୍ଟ ଏବଂ ରାଜନୈତିକ ପ୍ରେରିତ ବୋଲି ଦର୍ଶାଇ ରିଭିଜନ ପିଟିଶନକୁ ଖାରଜ କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି।

