ଆୟୁର୍ବେଦିକ ପାର୍ଲରରେ ଚାଲୁଥିଲା ସେକ୍ସ ରାକେଟ! ଯୁବତୀଙ୍କ ଅଭିଯୋଗ ପରେ ପୋଲିସର ଚଢ଼ାଉ, ସ୍ୱାମୀ-ସ୍ତ୍ରୀ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ବୁଦ୍ଧପାର୍କ ଅଞ୍ଚଳରେ ଥିବା ଏକ ଆୟୁର୍ବେଦିକ ପାର୍ଲରରେ ପୋଲିସର ଚଢ଼ାଉ ପରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଗିରଫ ମାଷ୍ଟରମାଇଣ୍ଡ ଦୀପକ ଦାସ ଓ ସସ୍ମିତା ପ୍ରଧାନଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହୋଟେଲରେ ଚାକିରି ଦେବାର ପ୍ରଲୋଭନ ଦେଇ ଜଣେ ଯୁବତୀଙ୍କୁ ସେଠାରେ ରଖାଯାଇ ଅନୈତିକ କାର୍ଯ୍ୟରେ ସାମିଲ ହେବାକୁ ବାଧ୍ୟ କରୁଥିଲେ । ଫଳରେ ନିର୍ଯାତନା ସହିନପାରି ଯୁବତୀ ସେଠାରୁ ଖସି ଆସି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ |
ପୁଲିସ୍ ସୂଚନା ଅନୁଯାୟୀ, ଅଭିଯୁକ୍ତ ଦୀପକଙ୍କ ଘର ଯାଜପୁର ଜିଲ୍ଲାର ଦଶରଥପୁରରେ ଥିବାବେଳେ ତାଙ୍କ ପତ୍ନୀ ସସ୍ମିତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବଡ଼ପାରିରେ। ଦୁହେଁ ପାର୍ଲର ନାଁରେ ସେକ୍ସ ରାକେଟ ଚଳାଉଥିଲେ | ଏବଂ ଚାକିରି ଖୋଜୁଥିବା ମହିଳା ଓ ଯୁବତୀମାନଙ୍କ ସହ ସସ୍ମିତା ଯୋଗାଯୋଗ କରି ସେମାନଙ୍କୁ ଦେହ ବ୍ୟବସାୟରେ ସାମିଲ କରୁଥିବା ଅଭିଯୋଗ ହୋଇଛି। ଏହାସହ କେହି ଯଦି ଏଥିରେ ବିରୋଧ କରୁଥିଲେ ଦମ୍ପତି ସେମାନଙ୍କୁ ଧମକ ମଧ୍ୟ ଦେଉଥିଲେ। ଭୟ ଓ ସାମାଜିକ ବଦନାମର ଆଶଙ୍କାରେ ଅନେକ ପୀଡ଼ିତା ଅଭିଯୋଗ କରିନଥିବାବେଳେ, କିଛି ଯୁବତୀ ସୁଯୋଗ ପାଇ କାମ ଛାଡ଼ି ପଳାଇଯାଇଥିଲେ।
ଗତକାଲି ଜଣେ ଯୁବତୀ ସାହସ ଦେଖାଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତୁରନ୍ତ ପାର୍ଲରରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଠାରୁ ଅନ୍ୟ ଯୁବତୀମାନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦୀପକ ଓ ସସ୍ମିତାଙ୍କୁ ଗିରଫ କରି ଏହି ଘଟଣାରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

