Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ତଫା ପତ୍ରରେ କ’ଣ ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ? ଯୁବବର୍ଗଙ୍କୁ କହିଲେ ‘ମୋ ଯୁବ ବନ୍ଧୁ’, ମୋଦୀଙ୍କୁ ଜଣାଇଲେ କୃତଜ୍ଞତା

NEET-UG ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଥିବା ନିଜ ଇସ୍ତଫା ପତ୍ରରେ ସେ ଦେଶର ଯୁବବର୍ଗଙ୍କୁ ‘ମୋ ଯୁବ ବନ୍ଧୁ’ ବୋଲି ସମ୍ବୋଧନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କାମ କରିବାର ସୁଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥାର ସଂସ୍କାର ପାଇଁ କାମ କରିଆସିଛନ୍ତି ଏବଂ ଦେଶର ଯୁବପିଢ଼ିଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସେ ସର୍ବଦା ସମ୍ମାନ କରନ୍ତି।

ଇସ୍ତଫା ପତ୍ରରେ ଧର୍ମେନ୍ଦ୍ର ପ୍ରଧାନ NEET-UG ପରୀକ୍ଷାରେ ଅନିୟମିତତା ସାମ୍ନାକୁ ଆସିବା ପରେ ସରକାର ନେଇଥିବା ପଦକ୍ଷେପର ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ମାମଲାର ତଦନ୍ତ ସିବିଆଇକୁ ଦିଆଯାଇଥିଲା, ପରୀକ୍ଷା ବାତିଲ କରାଯାଇ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଏବଂ ଆସନ୍ତା ବର୍ଷଠାରୁ କମ୍ପ୍ୟୁଟର-ଆଧାରିତ ପରୀକ୍ଷା ପ୍ରଣାଳୀ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ପାଇଁ ନିର୍ବିଘ୍ନରେ ପରୀକ୍ଷା କରାଇବା ସରକାରଙ୍କ ପ୍ରାଥମିକତା ଥିଲା ବୋଲି ସେ କହିଛନ୍ତି। ଏହା ସହ ସେ ଦାବି କରିଛନ୍ତି ଯେ, ପ୍ରଥମ ଦିନରୁ ସେ ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ ଏବଂ ପରିସ୍ଥିତିରୁ କେବେ ଓହରି ଯାଇନଥିଲେ।

ନିଜ ଚିଠିର ଶେଷ ଭାଗରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗତ କିଛି ଦିନର ଘଟଣା ତାଙ୍କୁ ବ୍ୟଥିତ କରିଛି। ଦେଶର ଯୁବପିଢ଼ିଙ୍କୁ ଭ୍ରମାତ୍ମକ ପ୍ରଚାରରୁ ଦୂରେ ରଖିବା, ଜାତୀୟ ଏକତା ବଜାୟ ରଖିବା ଏବଂ କୌଣସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଇନଗତ ଜଟିଳତାରେ ପଡ଼ି ନଯାଉ ବୋଲି ସେ ନିଜ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀପରିଷଦର ସହଯୋଗୀ, ମନ୍ତ୍ରାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଯେ, ଦେଶସେବା ହିଁ ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଏବଂ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ସେ ଆଗାମୀ ଦିନରେ ମଧ୍ୟ ଦେଶ, ଓଡ଼ିଶା ଓ ଯୁବପିଢ଼ିଙ୍କ ସେବାରେ ସମର୍ପିତ ରହିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ