ମହଣ ମହଣ ସୁନାରେ ଝଟକିଲେ ମହାବାହୁ, ସୁନାବେଶ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସୁନାବେଶ ଅବସରରେ ଆଜି ଶ୍ରୀକ୍ଷେତ୍ର ଭକ୍ତଙ୍କ ଭିଡ଼ରେ ଉଛୁଳି ପଡ଼ିଥିଲା। ସବୁକିଛି ଭୁଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବଡ଼ଦାଣ୍ଡକୁ ସୁନାମି ଭଳି ଛୁଟି ଆସିଥିଲେ। ବଡ଼ଦାଣ୍ଡ ସମେତ ସାହି ଓ ଗଳିକନ୍ଦି ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହେଉଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ପତ୍ନୀ ରଥାରୂଢ଼ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସାଂସଦ ଡା. ସମ୍ବିତ ପାତ୍ର ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।
ରତ୍ନଖଚିତ ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଅପୂର୍ବ ଦିବ୍ୟ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ। ରଥ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ଭକ୍ତବତ୍ସଳ ମହାପ୍ରଭୁ ବାହୁ ପ୍ରସାରି ଭକ୍ତଙ୍କ ପାପତାପ ହରଣ କରି ଅଭୟ ପ୍ରଦାନ କରୁଥିବା ବିଶ୍ୱାସରେ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ସିଂହଦ୍ୱାର ଚକ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ଭିଜି ଯାଇଥିଲା।
ପରେ ମୁଖ୍ୟମନ୍ତ୍ରୀ ଜେବିପିସିସିସ୍ଥିତ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟରରେ ରଥଯାତ୍ରା ସମୟର ଟ୍ରାଫିକ୍ ଓ ଜନସମାଗମ ପରିଚାଳନାର ସମୀକ୍ଷା କରିଥିଲେ। ଆକଳନ ଅନୁଯାୟୀ, ସୁନାବେଶ ଦର୍ଶନ ପାଇଁ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚି ଏହି ଦୁର୍ଲଭ ଦିବ୍ୟ ବେଶର ଦର୍ଶନ କରିଥିଲେ।

