କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ନେଇ ଜୋରଦାର ହେଲା ଦାବି!
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ବର୍ତ୍ତମାନ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ମଧ୍ୟ ଜୋର ଧରିଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରୁଥିବାବେଳେ ରାଜ୍ୟ ରାଜନୀତି ଏବେ ତୀବ୍ର ହୋଇଛି।
କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ କହିବା ଅନୁସାରେ, କେନ୍ଦ୍ରରେ NEET ପରୀକ୍ଷାରେ ପେପର ଦୁର୍ନୀତି ଅଭିଯୋଗ ଘଟଣାରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବା ପରେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ନୈତିକତାର ଆଧାରରେ ପଦ ଛାଡ଼ିବା ଉଚିତ୍। ସେ କହିଛନ୍ତିଯେ, ଆସନ୍ତା ୭ ଦିନ ମଧ୍ୟରେ ଯଦି ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରାଯିବ ଏବଂ ଓଡ଼ିଶା ବନ୍ଦ ଡାକର ବିଚାର କରାଯିବ।
ଭକ୍ତ ଚରଣ ଦାସ ଆହୁରି କହିଛନ୍ତି ଯେ, ରାଜ୍ୟର ଜେନ୍-ଜି (Gen-Z) ଯୁବପିଢ଼ି ଯଦି ଏହି ପ୍ରସଙ୍ଗରେ କୌଣସି ଆନ୍ଦୋଳନ କରନ୍ତି, ତେବେ ରାଜ୍ୟ କଂଗ୍ରେସ ସେମାନଙ୍କ ସହ ସମ୍ପୂର୍ଣ୍ଣ ଭାବେ ଠିଆ ହେବ। ଏହି ବୟାନ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇପଡ଼ିଛି।
ସୂଚନାଯୋଗ୍ୟ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟପୁସ୍ତକରେ ୧୬୭୮ ଟି ଭୁଲ ରହିଥିଲା | ଯାହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଥିଲା | ଏହାସହ ପାଠ୍ୟପୁସ୍ତକକୁ ନେଇ ଛାତ୍ର ଛାତ୍ରୀଙ୍କ ସମେତ ତାଙ୍କ ଅଭିଭାବକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ |

