Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାନ ମାଝୀଙ୍କ ଏତଲା ପରେ ବିବାଦରେ ପ୍ରଯୋଜକ ମନୋଜ ବାଗ୍; ‘ଲାଶ୍’ ଫିଲ୍ମରେ ଅନୁମତି ବିନା କାହାଣୀ ବ୍ୟବହାର ଅଭିଯୋଗ

ଭୁବନେଶ୍ୱର:ବହୁଚର୍ଚ୍ଚିତ ଦାନ ମାଝୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ସମ୍ବଲପୁରର ଚଳଚ୍ଚିତ୍ର ପ୍ରଯୋଜକ ମନୋଜ ବାଗଙ୍କ ବିରୋଧରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନାରେ ଏତଲା ଦାଖଲ କରିଛନ୍ତି। ଦାନ ମାଝୀଙ୍କ ଅଭିଯୋଗ ଅନୁସାରେ, ପ୍ରଯୋଜକ ମନୋଜ ବାଗ୍ ନିର୍ମାଣ କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଲାଶ୍’ ତାଙ୍କ ବ୍ୟକ୍ତିଗତ ଜୀବନ କାହାଣୀକୁ ଆଧାର କରି ତିଆରି କରାଯାଇଛି। କିନ୍ତୁ ଫିଲ୍ମ ନିର୍ମାଣ ପୂର୍ବରୁ ତାଙ୍କ ସହ କୌଣସି ଆଲୋଚନା କରାଯାଇନଥିଲା କିମ୍ବା ଅନୁମତି ନିଆଯାଇନଥିବା ସେ ଅଭିଯୋଗ କରିଛନ୍ତି।

ଦାନ ମାଝୀ କହିଛନ୍ତି ଯେ, ତାଙ୍କ ଜୀବନର ଘଟଣାକୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲେ ମଧ୍ୟ ତାଙ୍କ ସମ୍ମତି ନିଆଯାଇନଥିଲା। ଏହାକୁ ସେ ତାଙ୍କ ବ୍ୟକ୍ତିଗତ ଅଧିକାରର ଉଲ୍ଲଙ୍ଘନ ବୋଲି ଦର୍ଶାଇ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ପାଟଣାଗଡ଼ ଥାନାରେ ଦାଖଲ ହୋଇଥିବା ଏହି ଏତଲାକୁ ଆଧାର କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ମନୋଜ ବାଗ୍ ଜଣେ ନିର୍ଦ୍ଦେଶକ, ଲେଖକ, ଅଭିନେତା, ଏଡିଟର ଓ ପ୍ରଯୋଜକ ଭାବେ ପରିଚିତ। ତାଙ୍କ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାଶ୍’ ଇଣ୍ଡୋ–ସିଙ୍ଗାପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ISFFA)ରେ ପ୍ରଦର୍ଶିତ ହୋଇଥିଲା। ତେବେ ଦାନ ମାଝୀଙ୍କ ଅଭିଯୋଗ ପରେ ଏହି ଚଳଚ୍ଚିତ୍ରକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏହି ମାମଲାରେ ପୁଲିସ ତଦନ୍ତ ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories