Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି ପଡ଼ିବା ଅଭିଯୋଗ; ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ୬ ଜଣଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟରେ ଏକ ମଲା ଝିଟିପିଟି ପଡ଼ିଥିବା ଅଭିଯୋଗ ପରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣା ପରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିବାବେଳେ ଅଭିଭାବକମାନେ ଖାଦ୍ୟ ପ୍ରସ୍ତୁତିରେ ଘୋର ଅବହେଳା ହୋଇଥିବା ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଉଥିବା ବେଳେ ସେଥିରେ ଏକ ମଲା ଝିଟିପିଟି ପଡ଼ିଥିବା ଦେଖିଥିଲେ। ଏହାପୂର୍ବରୁ କିଛି ଛାତ୍ରଛାତ୍ରୀ ବାନ୍ତି କରିବା ସହ ଅସୁସ୍ଥ ଅନୁଭବ କରିଥିଲେ। ଘଟଣା ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଚିକିତ୍ସା ପରେ ୬ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ପରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଭାବକଙ୍କ ଭିଡ଼ ଜମିଥିଲା। ବିଦ୍ୟାଳୟରେ ଖାଦ୍ୟ ପ୍ରସ୍ତୁତି ସମୟରେ ଅବହେଳା ଓ ଅସାବଧାନତା ହୋଇଥିବା ଅଭିଯୋଗ କରି ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଶିକ୍ଷକ ଏବଂ ପାଚିକାଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏପଟେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories