ଏଣିକି ଏତଲା ପାଇଁ ଆଉ ଥାନାକୁ ଯିବା ଦରକାର ନାହିଁ; ସରକାର ଆଣୁଛନ୍ତି ‘ଆମ ସାଥୀ’, ମିଳିବ ୧୯୦ରୁ ଅଧିକ ସରକାରୀ ସେବା
ଭୁବନେଶ୍ୱର: ଏଣିକି ସାଧାରଣ ଲୋକଙ୍କୁ ଏତଲା ଦେବା ପାଇଁ ଥାନା ଦ୍ୱାରକୁ ଯିବାକୁ ପଡ଼ିବ ନାହିଁ। ସେହିପରି ସରକାରୀ ଡାକ୍ତରଖାନାରେ ଓପିଡି ଆପଏଣ୍ଟମେଣ୍ଟ ପାଇଁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡିବ ନାହିଁ | ହ୍ୱାଟ୍ସଆପ୍ର ଗୋଟିଏ କ୍ଲିକ୍ରେ ମାତ୍ର କିଛି ମିନିଟ୍ ମଧ୍ୟରେ ୧୯୦ରୁ ଅଧିକ ସରକାରୀ ସେବାର ସୁବିଧା ମିଳିପାରିବ। ଏଥିପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ସେଣ୍ଟର ଫର୍ ମଡର୍ନାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (CMGI) ପକ୍ଷରୁ ‘ଆମ ସାଥୀ’ ନାମକ ଏକ ହ୍ୱାଟ୍ସଆପ୍ ଆଧାରିତ ଚାଟ୍ବଟ୍ ପ୍ରସ୍ତୁତ କରାଯାଇଛି। ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଲୋକାର୍ପଣ କରିବେ। ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଏପରି ସୁବିଧା ଆରମ୍ଭ କରିବାକୁ ଯାଉଛି।
‘ଆମ ସାଥୀ’ ଚାଟ୍ବଟ୍ର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ ସେବାକୁ ସହଜ, ସ୍ୱଚ୍ଛ, ସମୟବଦ୍ଧ ଓ ଉତ୍ତରଦାୟୀ ଭାବେ ନାଗରିକଙ୍କ ହାତପାଆନ୍ତାରେ ପହଞ୍ଚାଇବା। ଓଡ଼ିଶା ଲୋକସେବା ଅଧିକାର ଆଇନ (ORTPSA) ଆଧାରରେ ପ୍ରସ୍ତୁତ ଏହି ବ୍ୟବସ୍ଥା ମାଧ୍ୟମରେ ଜନ୍ମ, ଆୟ, ବାସିନ୍ଦା, ଜାତି, ଉତ୍ତରାଧିକାରୀ ଓ ଅଭିଭାବକ ପ୍ରମାଣପତ୍ର, ଜମି ରେକର୍ଡ, ଜମି ମ୍ୟୁଟେସନ୍, ଡ୍ରାଇଭିଂ ଲାଇସେନ୍ସ, ସାର ଓ ବିହନ ଲାଇସେନ୍ସ, ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା, ଆନ୍ତଃଜାତି ବିବାହ ପ୍ରୋତ୍ସାହନ ଯୋଜନା, ପୋଲିସ ସମ୍ବନ୍ଧୀୟ ସେବା ସହ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ଆପଏଣ୍ଟମେଣ୍ଟ ବୁକିଂ ଭଳି ୧୯୦ରୁ ଅଧିକ ସେବା ଉପଲବ୍ଧ ହେବ।
ଏହି ଚାଟ୍ବଟ୍ ଓଡ଼ିଆ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେବା ସହ ଭଏସ୍ ସୁବିଧା ମଧ୍ୟ ରହିଛି। ଫଳରେ ଟାଇପ୍ କରିବାରେ ଅସୁବିଧା ଥିବା କିମ୍ବା କମ୍ ସାକ୍ଷର ବ୍ୟକ୍ତିମାନେ ମଧ୍ୟ କଥା କହି ସରକାରୀ ସେବା ସମ୍ପର୍କିତ ସୂଚନା ପାଇପାରିବେ। କୌଣସି ସେବା ପ୍ରଦାନରେ ବିଳମ୍ବ ହେଲେ କିମ୍ବା ଅଭିଯୋଗ ଥିଲେ, ଚାଟ୍ବଟ୍ ମାଧ୍ୟମରେ ଅଭିଯୋଗ ଦାଖଲ ଓ ଅପିଲ୍ କରିବାର ସୁବିଧା ମଧ୍ୟ ରହିଛି। ସରକାରଙ୍କ ମତରେ, ହ୍ୱାଟ୍ସଆପ୍ର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ସହର ଓ ଗ୍ରାମ ଉଭୟ ଅଞ୍ଚଳର ଲୋକଙ୍କ ପାଇଁ ସରକାରୀ ସେବାକୁ ଅଧିକ ସହଜ ଓ ସୁଲଭ କରିବ |

