ରାଜଧାନୀରେ ନିର୍ମମ ହତ୍ୟାକାଣ୍ଡ: ପଥରରେ ଛେଚି ଛେଚି ନୃଶଂସ ଭାବେ ବାପାଙ୍କୁ ହତ୍ୟା କଲା ପୁଅ
ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚାକେଇସିଆଣି ଅଞ୍ଚଳରେ ମଙ୍ଗଳବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମଞ୍ଚନାଥ ହାଇସ୍କୁଲ୍ ନିକଟରେ ପାରିବାରିକ କଳହକୁ କେନ୍ଦ୍ର କରି ପୁଅ ନିଜ ବାପାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ବାପାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ମଞ୍ଚେଶ୍ୱର ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିବା ସହ ଅଭିଯୁକ୍ତ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି।
ଏହି ଘଟଣା ଏବେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପାରିବାରିକ ସମ୍ପର୍କରେ ବଢ଼ୁଥିବା ହିଂସାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ହତ୍ୟା ପଛରେ ସଠିକ୍ କାରଣ କ’ଣ ରହିଛି, ତାହା ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

