Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉନ୍ମୋଚିତ ହେଲା ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜୀବନୀ ଉପରେ ରଚିତ ପୁସ୍ତକ ; ସମାରୋହରେ ଫାଇଲ୍ ନିଖୋଜ ପ୍ରସଙ୍ଗ ଉଠାଇ କଡା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନ, ତ୍ୟାଗ, ସଂଘର୍ଷ, ଜନଜାତିଙ୍କ ସେବା ଏବଂ ରାଷ୍ଟ୍ରଚେତନାକୁ ଆଧାର କରି ରଚିତ ‘ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ: କୃତି ଓ ବ୍ୟକ୍ତିତ୍ୱ’ ପୁସ୍ତକ ମଙ୍ଗଳବାର ଭୁବନେଶ୍ୱରର ରେଳ ଅଡିଟୋରିୟମରେ ଉନ୍ମୋଚିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜୀବନ କେବଳ ଇତିହାସ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଏକ ଜୀବନ୍ତ ଉତ୍ସ। ତାଙ୍କର ଜନସେବା, ରାଷ୍ଟ୍ରଭକ୍ତି ଓ ଆଧ୍ୟାତ୍ମିକ ଚିନ୍ତାଧାରା ସମାଜକୁ ସଦା ପଥପ୍ରଦର୍ଶନ କରିବ ବୋଲି ସେ କହିଥିଲେ। ଏହି ପୁସ୍ତକକୁ ରାଜ୍ୟର ସ୍କୁଲ ଓ କଲେଜ ଲାଇବ୍ରେରୀରେ ସ୍ଥାନ ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାମୀ ଲକ୍ଷ୍ମଣାନନ୍ଦ କେବଳ ଜଣେ ସନ୍ନ୍ୟାସୀ ନୁହେଁ, ବରଂ କନ୍ଧମାଳର ଜନଜାତି ସମାଜର ସୁରକ୍ଷା କବଚ ଓ ଜାଗ୍ରତ ଆଧ୍ୟାତ୍ମିକ ଶକ୍ତି ଥିଲେ। ଚକାପାଦ ଓ ଜଲେଶପଟ୍ଟା ଆଶ୍ରମ ମାଧ୍ୟମରେ ସେ ଜନଜାତି ଅଞ୍ଚଳରେ ଶିକ୍ଷା, ନାରୀ ସଶକ୍ତିକରଣ ଓ ସାମାଜିକ ସଚେତନତା ପାଇଁ କାର୍ଯ୍ୟ କରିଥିଲେ। ସ୍ୱାମୀଜୀଙ୍କ ସ୍ମୃତିକୁ ସ୍ଥାୟୀ କରିବା ପାଇଁ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ତାଙ୍କ ନାମରେ ନାମିତ କରାଯାଇଥିବା ସହ ଜଲେଶପଟ୍ଟା ଆଶ୍ରମର ବିକାଶ, ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ଏବଂ ଜଳଯୋଗାଣ ଭଳି ପ୍ରକଳ୍ପ ପାଇଁ ୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା ଅଗଷ୍ଟ ୨୧ରୁ ଆରମ୍ଭ ହେବାକୁ ଥିବା ଜନ୍ମଶତବାର୍ଷିକୀ ବର୍ଷରେ ରାଜ୍ୟ ଓ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେମିନାର ଓ କର୍ମଶାଳା ମାଧ୍ୟମରେ ସ୍ୱାମୀଜୀଙ୍କ ଆଦର୍ଶ ପହଞ୍ଚାଯିବ ବୋଲି ସେ କହିଥିଲେ।

ଏହି ଅବସରରେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ତତ୍କାଳୀନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ ଓ ସମ୍ପର୍କିତ ଫାଇଲ୍ ଲୋକସେବା ଭବନରୁ ନିଖୋଜ ହେବା ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ। ଏହି ମାମଲାର ସତ୍ୟାସତ୍ୟ ଉଦ୍‌ଘାଟନ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରକୃତ ଦୋଷୀଙ୍କୁ କୌଣସି ପରିସ୍ଥିତିରେ ଛାଡ଼ ଦିଆଯିବ ନାହିଁ ବୋଲି ସେ ଦୃଢ଼ ଚେତାବନୀ ଦେଇଥିଲେ।

କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବୋଲେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଜଣେ ମହାପୁରୁଷ ଓ ଧର୍ମଜାଗରଣର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ସ୍ୱାମୀଜୀଙ୍କ ଆଦର୍ଶ ଓ କାର୍ଯ୍ୟଧାରା ଓଡ଼ିଶାର ସାମାଜିକ ବିକାଶ ସହ ‘ବିକଶିତ ଭାରତ’ ଗଠନରେ ପ୍ରେରଣା ଯୋଗାଇବ। କାର୍ଯ୍ୟକ୍ରମରେ ସ୍ୱାମୀ ପରମହଂସ ପ୍ରଜ୍ଞାନାନନ୍ଦ, ସ୍ୱାମୀ ଜୀବନମୁକ୍ତାନନ୍ଦ, ମନସୁଖଲାଲ ସେଠିଆଙ୍କ ସହ ପୁସ୍ତକର ଲେଖକ ବିପିନ ବିହାରୀ ନନ୍ଦ ଓ ବାଂଛାନିଧି ପଣ୍ଡା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories