ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଆସିପାରେ ବଡ଼ ଉପହାର! ବିଧାନସଭାରେ ଦରମା ବୃଦ୍ଧି ଘୋଷଣାର ସଙ୍କେତ
ଭୁବନେଶ୍ୱର: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ଖୁସିଖବର | ବୃଦ୍ଧି ହୋଇପାରେ ଦରମା | ସେମାନଙ୍କ ମାସିକ ଦରମା ବୃଦ୍ଧିକୁ ନେଇ ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରୁଥିବା ସୂଚନା ମିଳିଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଚେତନ ଓ ପ୍ରତିବଦ୍ଧ ରହିଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆଗାମୀ ବିଧାନସଭା ଅଧିବେଶନରେ ଅଙ୍ଗନବାଡ଼ି କର୍ମୀଙ୍କ ସ୍ୱାର୍ଥ ସହ ଜଡ଼ିତ ଏକ ବଡ଼ ଘୋଷଣା କରାଯାଇପାରେ। ଏପର୍ଯ୍ୟନ୍ତ ସରକାର ପକ୍ଷରୁ ଏପର୍ଯ୍ୟନ୍ତ ଦରମା ବୃଦ୍ଧିର ଚୂଡ଼ାନ୍ତ ଘୋଷଣା କରାଯାଇନାହିଁ |
ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀମାନେ ମାସିକ ଦରମାକୁ ୧୮ ହଜାର ଟଙ୍କା କରିବାକୁ ଦାବି କରୁଥିବା ବେଳେ, ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ହଜାର ଟଙ୍କା ଏବଂ ସହାୟିକାଙ୍କ ଦରମା ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯିବା ପ୍ରସ୍ତାବ ଉପରେ ବିଚାର ଚାଲିଛି। ତେବେ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ପରେ ହିଁ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।

