ସୁରଙ୍କ ବଡ଼ ବୟାନ:”ତାଙ୍କ ଲୋକ କହୁଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବେ”
ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟିକୁ ନେଇ ଓଡ଼ିଶାର ରାଜନୀତି ଏବେ ସରଗରମ ହୋଇପଡ଼ିଛି। ବିରୋଧୀ ବିଜେଡି ଓ କଂଗ୍ରେସ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରୁଛନ୍ତି। ଏହାମଧ୍ୟରେ କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ, “ତାଙ୍କ ନିଜ ଦଳର ଲୋକ କହୁଛନ୍ତି ମନ୍ତ୍ରୀ ନିତ୍ୟାନଦ ଗଣ୍ଡ ଇସ୍ତଫା ଦେବେ” | ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ହୋଇଛି | ଅନ୍ୟପଟେ, ବିରୋଧୀ ଦଳର ଅଭିଯୋଗ କରିଛି , ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ବଡ ପ୍ରଭାବ ପକାଇଛି ଏବଂ ଏହା ପାଇଁ ମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବା ଉଚିତ। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ବିଧାନସଭା ଭିତରେ ଓ ବାହାରେ ଉଠାଇବା ସହ ଆନ୍ଦୋଳନକୁ ତୀବ୍ର କରିବାର ଚେତାବନୀ ଦେଇଛି।
ଅନ୍ୟପକ୍ଷରେ, ରାଜ୍ୟ ସରକାର କିମ୍ବା ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ସମ୍ପର୍କରେ କୌଣସି ସରକାରୀ ସଙ୍କେତ ମିଳିନାହିଁ। ବିଜେପି ନେତାମାନେ କହିଛନ୍ତି ଯେ, ପାଠ୍ୟପୁସ୍ତକ ତ୍ରୁଟିକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି ଏବଂ ଦାୟୀ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ସହ ତ୍ରୁଟି ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପରି ପରିସ୍ଥିତିରେ ମନ୍ତ୍ରୀଙ୍କ ଇସ୍ତଫାର ପ୍ରଶ୍ନ ଉଠୁନାହିଁ ବୋଲି ଦଳ ସ୍ପଷ୍ଟ କରିଛି।
ବର୍ତ୍ତମାନ ସୁଦ୍ଧା ନିତ୍ୟାନନ୍ଦ ଗଣ୍ଡଙ୍କୁ ଇସ୍ତଫାକୁ ନେଇ କୌଣସି ସରକାରୀ ଘୋଷଣା, ରାଜଭବନର ସୂଚନା କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏଭଳି କୌଣସି ନିଷ୍ପତ୍ତି ସାମ୍ନାକୁ ଆସିନାହିଁ। ବିଧାନସଭାରେ ଏହି ପ୍ରସଙ୍ଗ ଏବଂ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

