Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବାହାନଗା ଦୁର୍ଘଟଣାସ୍ଥଳକୁ ଆସିବେ ପିଏମ ମୋଦୀ, ଆହତ ଯାତ୍ରୀଙ୍କୁ ବି ଭେଟିବେ

ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଛି। ମୃତକଙ୍କ ସଂଖ୍ୟା ୨୩୮ରେ ପହଞ୍ଚିଲାଣି। ସମୟ ଗଡ଼ିବା ସହ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ୮୦୦ରୁ ଅଧିକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ରେଳ ଦୁର୍ଘଟଣାକୁ ଆସିବେ ବୋଲି ପିଏମଓ ସୂତ୍ରରୁ ପ୍ରକାଶ। ଦୁର୍ଘଟଣାସ୍ଥଳ ବାହାନଗାକୁ ଯାଇ ପ୍ରଧାନମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବେ। ଏହା ପରେ କଟକ ଯିବେ ଏବଂ ସେଠାରେ ଏସସିବିରେ ଚିକିତ୍ସାଧୀନ ଆହତ ରେଳ ଯାତ୍ରୀଙ୍କୁ ଭେଟିବେ। ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ଆଜି ଗୋଆ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବାର କାର‌୍ୟ୍ୟକ୍ରମ ଥିଲା। କିନ୍ତୁ ଏହି ରେଳ ଦୁର୍ଘଟଣା ପରେ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଜି ବାହାନଗାର ଟ୍ରେନ ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି। ତାମିଲନାଡ଼ୁ ସରକାରଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଆସିବେ। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଦୁର୍ଘଟଣାସ୍ଥଳକୁ ଆସିବେ ବୋଲି ସୂଚନା ରହିଛି। ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ ଘଟଣାସ୍ଥଳରେ ରହି ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ତଦାରଖ କରୁଛନ୍ତି। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ମଧ୍ୟ ଅଛନ୍ତି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିବା ସହ ହସ୍ପିଟାଲରେ ଆହତ ଯାତ୍ରୀଙ୍କୁ ଭେଟିଛନ୍ତି।

ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଘଟଣାସ୍ଥଳରେ ପହଞ୍ଚିବା ପରେ କହିଛନ୍ତି, ଦୁର୍ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏବେ ପୂରା ଫୋକସ ଉଦ୍ଧାର କାର୍ଯ୍ୟ ଉପରେ ରହିଛି। ଆହତଙ୍କ ଚିକିତ୍ସା ପାଇଁ ଅନେକ ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। କମିସନର ରେଳ ସେଫଟୀକୁ ମଧ୍ୟ ଦୁର୍ଘଟଣାର ତଦନ୍ତ ପାଇଁ କୁହାଯାଇଛି। ସେନା, ବାୟୁସେନା ସହିତ ଅନେକ ଉଦ୍ଧାରକାରୀ ଦଳ ରେସ୍କ୍ୟୁ ଅପରେସନରେ ଜୁଟିଛନ୍ତି। ଟ୍ରେନ ବଗିରେ ଏବେ ମଧ୍ୟ ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ