ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ! ୮୦ କିମି ଗ୍ରୀନ କରିଡରରେ ହସ୍ପିଟାଲରେ ପହଞ୍ଚିଲେ ପଞ୍ଚମ ଶ୍ରେଣୀ ଛାତ୍ର
ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରେ ଘଟିଛି ଏକ ଛାତିଥରା ଦୁର୍ଘଟଣା। ପଞ୍ଚମ ଶ୍ରେଣୀର ଛାତ୍ର ପ୍ରଭୁଦତ୍ତ ଜେନା ସ୍କୁଲରୁ ଘରକୁ ଫେରୁଥିବା ବେଳେ ସାଇକେଲରୁ ଖସି ପଡ଼ିଥିଲେ। ଏହି ସମୟରେ ସାଇକେଲର ହ୍ୟାଣ୍ଡଲ ତାଙ୍କ ପେଟରେ ପଶି ପଛପଟ ଦେଇ ବାହାରି ଯାଇଥିଲା। ଘଟଣା ଦେଖି ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା।
ଘଟଣା ସମ୍ପର୍କରେ କୃଷ୍ଣପ୍ରସାଦ ଥାନା ଆଇଆଇସି ବିଚିତ୍ରାନନ୍ଦ ପ୍ରଧାନ ଜାଣିବା ପରେ ତୁରନ୍ତ ଜିଲ୍ଲା ଏସପି ପ୍ରତୀକ ସିଂଙ୍କ ଅନୁମତି ନେଇ ଗ୍ରୀନ କରିଡର ବ୍ୟବସ୍ଥା କରିଥିଲେ। ଏସପି ପ୍ରତୀକ ସିଂ ଏବଂ ପୁରୀ ସଦର ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟ ୮୦ କିଲୋମିଟର ଦୂର ପର୍ଯ୍ୟନ୍ତ ଗ୍ରୀନ କରିଡର ସୃଷ୍ଟି କରାଯାଇ ଆହତ ଛାତ୍ରଙ୍କୁ ଶୀଘ୍ର ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ପ୍ରଭୁଦତ୍ତ ପଥରକଟା ଗ୍ରାମର ଅଜୟ ଜେନାଙ୍କ ପୁଅ ବୋଲି ଜଣାପଡ଼ିଛି। ସେ ବର୍ତ୍ତମାନ ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗ୍ରାମାଞ୍ଚଳରୁ ପ୍ରାୟ ୮୦ କିଲୋମିଟର ଦୂର ପର୍ଯ୍ୟନ୍ତ ଜଣେ ଆହତ ଶିଶୁଙ୍କୁ ଗ୍ରୀନ କରିଡର ମାଧ୍ୟମରେ ହସ୍ପିଟାଲ ପହଞ୍ଚାଇବା ଓଡ଼ିଶାରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ପୁରୀ ପୁଲିସର ଏହି ତ୍ୱରିତ ଓ ମାନବିକ ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

