ମହାନଦୀରେ ବଢୁଛି ବନ୍ୟାଜଳ, ହୀରାକୁଦର ଆଉ ୧୨ ଗେଟ୍ ଖୋଲିବା ପ୍ରସ୍ତୁତି; ୪ ଜିଲ୍ଲାକୁ ଆଲର୍ଟ
ମହାନଦୀରେ ବନ୍ୟାଜଳ ବଢୁଥିବାରୁ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ମହାନଦୀ ବ୍ୟତୀତ ଅନ୍ୟ ସମସ୍ତ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ବର୍ତ୍ତମାନ ମହାନଦୀରେ ପ୍ରାୟ ୮ ଲକ୍ଷ ୬୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଯାଜପୁରରେ ସର୍ବାଧିକ ଘାଇ ସୃଷ୍ଟି ହୋଇଛି।
ମନ୍ତ୍ରୀଙ୍କ କହିବା ଅନୁସାରେ, ଆସନ୍ତା ଦୁଇ ଦିନ ବଡ଼ ଧରଣର ବର୍ଷାର ସମ୍ଭାବନା ନାହିଁ। କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରାୟ ୭୦ ମିମି ବର୍ଷା ହୋଇଛି। ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ବର୍ତ୍ତମାନ ଖୋଲା ଥିବାବେଳେ ଆଉ ୧୨ଟି ଗେଟ୍ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ପରିସ୍ଥିତିକୁ ଦେଖି ମୋଟ ୨୪ଟି ଗେଟ୍ ଖୋଲାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।
ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ୟା ପ୍ରଭାବିତ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା ବୈଠକ କରିଥିବା ମନ୍ତ୍ରୀ କହିଛନ୍ତି, ବନ୍ୟା ପାଣି କମିବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। କ୍ଷୟକ୍ଷତିର ରିପୋର୍ଟ ମିଳିବା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିବା ସହ ସରକାରଙ୍କୁ ସହଯୋଗ କରିବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି।

