ସାହାଜଲଥା ଗ୍ରାମ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଗାଇବାକୁ ଦାବି
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍ ଷ୍ଟପ) ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ପହଞ୍ଚି ପାରିନାହିଁ। ବସ୍ ଷ୍ଟପ ଥିଲେ ବି ବସ୍ ନ ଚାଲିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ମହିଳା, ଛାତ୍ରୀଛାତ୍ର, ବୃଦ୍ଧ ଓ ଭିନ୍ନକ୍ଷମମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି।
ବୀରମହାରାଜପୁର ବ୍ଲକ ସଦର ମହକୁମାରୁ ପ୍ରାୟ ୨୫ କିଲୋମିଟର ଏବଂ ଖଣ୍ଡହତା ପଞ୍ଚାୟତ କାର୍ଯ୍ୟାଳୟରୁ ପ୍ରାୟ ୭ କିଲୋମିଟର ଦୂରରେ ଅବସ୍ଥିତ ସାହାଜଲଥା ଗ୍ରାମ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବ୍ଲକ ସୀମାକୁ ଲାଗି ରହିଛି। ତତ୍କାଳୀନ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା, ବର୍ତ୍ତମାନ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ନାମରେ ଚାଲୁ ଥିଲେ ମଧ୍ୟ ଏହି ଉପାନ୍ତ ଅଞ୍ଚଳକୁ ସେବା ବିସ୍ତାର ହୋଇନାହିଁ।
ଏହି ବସ୍ ସେବା ଆରମ୍ଭ ହେବାର ମୂଳ ଉଦ୍ଦେଶ୍ୟ ଥିଲା ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ, ଛାତ୍ର ଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ବ୍ଲକ, ବ୍ୟାଙ୍କ, ସ୍କୁଲ, କଲେଜ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସୁଲଭ ଯାତାୟାତ ସୁବିଧା ଯୋଗାଇବା। ମହିଳା ଓ ଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଯାତାୟାତ ସୁବିଧା ପାଉଥିଲେ। କିନ୍ତୁ ସାହାଜଲଥାବାସୀ ଏହି ସୁବିଧାରୁ ଏବେ ମଧ୍ୟ ବଞ୍ଚିତ।
ଗ୍ରାମବାସୀଙ୍କ କହିବା ଅନୁସାରେ, କୌଣସି କାମରେ ବୀରମହାରାଜପୁର କିମ୍ବା ଅନ୍ୟତ୍ର ଯିବାକୁ ହେଲେ ପ୍ରଥମେ ପ୍ରାୟ ୩ କିଲୋମିଟର ଦୂର ଖଣ୍ଡହତାକୁ ଯାଇ ସେଠାରୁ ମୁଖ୍ୟମନ୍ତ୍ରୀ ବସ୍ ଧରିବାକୁ ପଡ଼ୁଛି। ଫଳରେ ପ୍ରତିଦିନ ଛାତ୍ରଛାତ୍ରୀ , ମହିଳା ଓ ବୃଦ୍ଧମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ଭୁକୁକୁ ପଧାନ କହିଛନ୍ତି, ସାହାଜଲଥା ପର୍ଯ୍ୟନ୍ତ ବସ୍ ସେବା ବଢ଼ାଇଲେ କେବଳ ଏହି ଗ୍ରାମ ନୁହେଁ, ବଡ଼କିରାସିରା, ଚୌକାଦାଦର, ନୂଆଁପାଲି, କଦଳୀମୁଣ୍ଡା, ସୋରିଷମୁଣ୍ଡା, ସାନକିରାସିରା ସମେତ ରେଢ଼ାଖୋଲ ବ୍ଲକର ଭରତାପୁର ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମର ଲୋକ ଉପକୃତ ହେବେ।
ଏହି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଖଣ୍ଡହତା ହାଇସ୍କୁଲ, ବିଭିନ୍ନ କଲେଜ, ସୁବଳୟା ଡିଗ୍ରୀ କଲେଜ ଓ ବୀରମହାରାଜପୁର କଲେଜକୁ ପାଠପଢ଼ା ପାଇଁ ଯାଉଥିବା ବେଳେ ସାଧାରଣ ଲୋକ ବ୍ଲକ କାର୍ଯ୍ୟାଳୟ, ତହସିଲ, ଥାନା, ଆର୍ଆଇ କାର୍ଯ୍ୟାଳୟ , ପ୍ରାଣୀଧନ ଚିକିତ୍ସାଳୟ ଓ ବଜାର କାର୍ଯ୍ୟ ପାଇଁ ବୀରମହାରାଜପୁର ଉପରେ ନିର୍ଭର କରୁଛନ୍ତି। ରେଢ଼ାଖୋଲ ବ୍ଲକର ଭରତାପୁର ପଞ୍ଚାୟତର ଅନେକ ଲୋକ ମଧ୍ୟ ନିତ୍ୟପ୍ରୟୋଜନୀୟ କାମ ପାଇଁ ବୀରମହାରାଜପୁରକୁ ଆସୁଥିବାରୁ ଏହି ବସ୍ ସେବା ର ଆବଶ୍ୟକତା ରହିଛି। ସାହାଜଲଥା ଗ୍ରାମର ଝାଣ୍ଟୁ ଘିବିଲା କହିଛନ୍ତି, ବସ୍ ସେବା ଆରମ୍ଭ ହେଲେ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଆଣିବା ସହ ବିଭିନ୍ନ ସରକାରୀ କାମରେ ସହଜରେ ଯାତାୟାତ କରିପାରିବେ।
ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରାୟ ୫ ଲକ୍ଷ ୯୫ ହଜାର ଟଙ୍କା ବ୍ୟୟରେ ବୀରମହାରାଜପୁର ପଞ୍ଚାୟତ ସମିତି ଅଧୀନରେ ସାହାଜଲଥାରେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଛି। କାମ ଶେଷ ହେବା ପରେ ଗ୍ରାମବାସୀ ବସ୍ ସେବା ମିଳିବ ବୋଲି ଆଶା କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଆଶା ପୂରଣ ହୋଇନାହିଁ। ଗତ ଏପ୍ରିଲ ମାସରେ ଗ୍ରାମର ମହିଳାମାନେ ବୀରମହାରାଜପୁର ବିଡିଓଙ୍କୁ ଭେଟି ସାହାଜଲଥା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ କରାଇବାକୁ ଦାବିପତ୍ର ଦେଇଥିଲେ। ତେବେ ଏଯାଏ ଏହାର କୌଣସି ସମାଧାନ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିଛି। ଗ୍ରାମର ବାଣେଶ୍ୱରୀ ସାହୁ କହିଛନ୍ତି, ବାରମ୍ବାର ଦାବି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ବିଶେଷ କରି ମହିଳାମାନେ ଦୈନନ୍ଦିନ ଯାତାୟାତରେ ହଇରାଣ ହେଉଛନ୍ତି। ବୀରମହାରାଜପୁର କଲେଜର ଛାତ୍ରୀ ମନୀଷା ପଧାନ ମଧ୍ୟ ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ବସ୍ ସେବା ବିସ୍ତାର କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି।
ଏନେଇ ଓଏସଆରଟିସି ସୁପରଭାଇଜର ଲିଲି ମହାନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି, “ସାହାଜଲଥା ପର୍ଯ୍ୟନ୍ତ ବସ୍ ସେବା ଚଳାଚଳ ପାଇଁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆମ ପାଖକୁ ଆସିଛି । ବିଷୟଟି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ସେମାନଙ୍କ ନିର୍ଦ୍ଦେଶ ମିଳିଲେ ସାହାଜଲଥା ପର୍ଯ୍ୟନ୍ତ ବସ୍ ଚଳାଚଳ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

