Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ୮ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା; ଫୁଲିପାରେ ମହାନଦୀ, ବନ୍ୟା ଆଶଙ୍କାରେ ସତର୍କ ପ୍ରଶାସନ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସୋମବାର ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷାର ପ୍ରଭାବ ଜାରି ରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସମସ୍ତ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଛତିଶଗଡ଼ରେ ମଧ୍ୟ ୪ରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ମହାନଦୀର ଜଳସ୍ତର ପୁଣି ବଢ଼ିପାରେ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ କହିବା ଅନୁସାରେ, ୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହାର ପ୍ରଭାବରେ ୮ ଓ ୯ ତାରିଖରେ ବର୍ଷାର ମାତ୍ର ଆହୁରି ବଢ଼ିପାରେ।

ଅନ୍ୟପକ୍ଷରେ, ୩ରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ। ଗତ ୨୪ ଘଣ୍ଟାରେ ଦେବଗଡ଼ରେ ସର୍ବାଧିକ ୪୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ତାଳଚେର ଓ ସମ୍ବଲପୁରରେ ମଧ୍ୟ ଭଲ ବର୍ଷା ହୋଇଛି। ଜୁନ୍ ୧ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ଅତି ଭୀଷଣ ବର୍ଷା ରେକର୍ଡ ହୋଇଛି। ପ୍ରଶାସନ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଆଗୁଆ ପ୍ରସ୍ତୁତି ଜୋରଦାର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ