ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି! ତପ୍ତପାଣିରେ ମା’ କନ୍ଧୁଣି ଦେବୀଙ୍କ ପୀଠରେ କରିବେ ପୂଜାର୍ଚ୍ଚନା
ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ସେ ଗଞ୍ଜାମ ଜିଲ୍ଲା ଗସ୍ତ କରି ତପ୍ତପାଣିସ୍ଥିତ ପ୍ରସିଦ୍ଧ ମା’ କନ୍ଧୁଣି ଦେବୀ ପୀଠରେ ପୂଜାର୍ଚ୍ଚନା କରିବେ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ରାଷ୍ଟ୍ରପତି ତପ୍ତପାଣିର ଉଷ୍ଣ ପ୍ରସ୍ରବଣରେ ପବିତ୍ର ସ୍ନାନ କରିବା ସହ ମା’ କନ୍ଧୁଣି ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବେ। ଏହି ଗସ୍ତ ପାଇଁ ପ୍ରାୟ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସମଗ୍ର ଅଞ୍ଚଳରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ କରିସାରିଛନ୍ତି।
ତପ୍ତପାଣି ଗସ୍ତ ପରେ ରାଷ୍ଟ୍ରପତି ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ ଏବଂ ପରଦିନ ଭୁବନେଶ୍ୱର ଫେରିବେ। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତପ୍ତପାଣି ପୀଠ, ଆର୍ମି ଏଡି କଲେଜ ଓ ସଂଲଗ୍ନ ରାସ୍ତାକୁ ‘ନୋ-ଫ୍ଲାଇ ଜୋନ୍’ ଘୋଷଣା କରାଯାଇଛି। ଏଥିସହ ଯାନବାହାନ ଚଳାଚଳ ଉପରେ ମଧ୍ୟ ସ୍ୱତନ୍ତ୍ର କଟକଣା ଲାଗୁ କରାଯାଇଛି।

