ଅଗଷ୍ଟରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ; ଛାତ୍ର ଆନ୍ଦୋଳନକୁ ମିଳିବ ନୂଆ ଗତି
ଭୁବନେଶ୍ୱର: ଅଗଷ୍ଟ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟରେ ଛାତ୍ର ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବା ସହ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଜୋରଦାର କରିବା ପାଇଁ ଏହି ଗସ୍ତ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ଗସ୍ତର ତାରିଖ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ‘ଛାତ୍ରୋଂ କି ଗୁଞ୍ଜ୍’ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଭାପତି ବିନୋଦ ଜାଖର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ ନୀତି ଅନୁସରଣ କରୁଛନ୍ତି। ‘ନିଟ୍’ ପ୍ରଶ୍ନପତ୍ର ଲିକ୍ ଘଟଣା ଦେଶର ଶିକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଥିବା ବେଳେ ଏଥିରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ହୋଇଛି। ନୂଆଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କ ଆଚରଣକୁ ମଧ୍ୟ ସେ ନିନ୍ଦା କରିଥିଲେ।
ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ଓଡ଼ିଶାରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବା ଗଣତାନ୍ତ୍ରିକ ପରମ୍ପରା ପାଇଁ ଉଦ୍ବେଗଜନକ। ସେହିପରି ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ମଧ୍ୟ ସେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଅନ୍ୟପକ୍ଷରେ ନବନିଯୁକ୍ତ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର କହିଛନ୍ତିଯେ, ଛାତ୍ରଶକ୍ତି ଜାଗ୍ରତ ହେଲେ ଓଡ଼ିଶାରେ ପରିବର୍ତ୍ତନ ସମ୍ଭବ। ପରେ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ବିଶାଳ ବିକ୍ଷୋଭ ରାଲି କରାଯାଇଥିଲା। ବାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ଏବଂ ପରେ ଅନେକ କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା।

