କଦଳୀ ପାଲି ରେ କବି ସତ୍ୟ ନାରାୟଣ ବହିଦାର ଙ୍କ ଜୟନ୍ତୀ ପାଳିତ
ବୀରମହାରାଜପୁର : ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ ଯୁଗସ୍ରଷ୍ଟା ତଥା କାଳଜୟୀ କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କଦଳୀପାଲି ଛକର ମୁକ୍ତମଞ୍ଚରେ ଖୁବ ଧୁମଧାମରେ ପାଳିତ ହୋଇଯାଇଛି । ଏକତା ଗ୍ରୁପ ଦ୍ୱାରା ଆୟୋଜିତ ଉତ୍ସବରେ ଭାଷା ସଂସ୍କୃତିପ୍ରେମୀ ବିଶିଷ୍ଟ ଅତିଥିମାନେ ଯୋଗଦେଇ କବି ସତ୍ୟନାରାୟଣ ବହିଦାରଙ୍କ ଭାଷାପ୍ରୀତି ଓ ସୃଜନ ଉପରେ ଆଲୋଚନା କରିବା ସହ ଶ୍ରଦ୍ଧାଞଳି ଦେଇଥିଲେ । ଯୁବ ନିର୍ଦ୍ଦେଶକ ତଥା ପ୍ରଯୋଜକ ପାଣିନୀ ପ୍ରାଜ୍ଞଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ଶିକ୍ଷା ଓ ସଂସ୍କୃତି ପ୍ରେମୀତଥା , ବୀରମହାରାଜପୁର ବ୍ଲକ ଉପାଧ୍ୟାକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଭାବରେ ଗୋପିରାମ ମେହେର ଓ ବିଚାରକ ଭାବେ ସୁନିତା ମିଶ୍ର ଓ ବଲାଙ୍ଗୀର ର.ଅଭିନେତ୍ରୀ ବିୟୁଟିସିଏନ ଅଶ୍ୱିନୀ ସାହୁ ଯୋଗଦେଇ ପଶ୍ଚିମ ଓଡିଶାର ଶବ୍ଦକୋଷ,ଭାଷା-ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧିରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ମହାର୍ଘ ଅବଦାନ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବ କଳାକାରଙ୍କୁ ମା’ମାଟିର ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ସମର୍ପିତ ରହିବାକୁ ସେ’ ଆହ୍ୱାନ ଦେଇଥିଲେ ।ଇତ୍ୟବସରରେ ପାଣିନୀ ପ୍ରାଜ୍ଞଙ୍କ ନେତୃତ୍ୱରେ ଭାଷା ଭାବନାକୁ ଜାଗ୍ରତ କରି ରଖିବାକୁ ଉପସ୍ଥିତ ସଂସ୍କୃତିପ୍ରେମୀ କଳାକାର ଓ ଦର୍ଶକ ସମୂହ ସଂକଳ୍ପ ନେଇଥିଲେ ।ସମ୍ବଲପୁରୀ ଦିନ ଭାବେ କବି ସତ୍ୟନାରାୟଣଙ୍କ ଜୟନ୍ତୀ ପାଳନ ଅବସରରେ , କେଜିଭିପି ସିଣ୍ଡୋଲ , ବାଘଲପୁର ଓ ବୀରମହାରାଜପୁର ପାଓନିୟର ପବ୍ଲିକ ସ୍କୁଲ ସହିତ ଅଞ୍ଚଳର ତେଲିପାଲି , ବଲିପାଲି , ବଡ଼ମାଲ. କଦଳିପାଲି , ଗୌଡ଼ଗାଡ଼ ପ୍ରମୁଖ ନୃତ୍ୟ ଦଳ ଏବଂ ବୀରମହାରାଜପୁରର ଶିଶୁଶିଳ୍ପୀଙ୍କ ଦ୍ୱାରା ଲୋକନୃତ୍ୟ ଓ ଲୋକଗୀତ ସବୁ ପ୍ରଦର୍ଶିତ ହୋଇଥିଲା । ବିଳମ୍ବିତ ରାତିଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶତାଧିକ ଦର୍ଶକ ଉପଭୋଗ କରିଥିଲେ । ଏକତା ଗ୍ରୁପ ପକ୍ଷରୁ ଆୟୋଜିତ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମରେ ଏକତା ଗ୍ରୁପର ସମସ୍ତ କର୍ମ କର୍ତା ସହଯୋଗ କରିଥିଲେ ।

