ଓୟୁଏଟି ପିଜି ଓ ପିଏଚ୍.ଡି. ଛାତ୍ରୀଛାତ୍ରଙ୍କ ପାଇଁ ବଡ ଘୋଷଣା! ପିଜିଙ୍କୁ ୧୦ ହଜାର ଏବଂ ପିଏଚ୍.ଡି. ଗବେଷକଙ୍କୁ ମିଳିବ ୧୫ ହଜାର ଟଙ୍କା
ଭୁବନେଶ୍ୱର: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପିଜି ଏବଂ ପିଏଚ୍.ଡି. ଛାତ୍ରୀଛାତ୍ରଙ୍କ ପାଇଁ ମାସିକ ଷ୍ଟାଇପେଣ୍ଡ୍ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ପିଜି ଛାତ୍ରୀଛାତ୍ରମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ୧୦ ହଜାର ଟଙ୍କା ଏବଂ ପିଏଚ୍.ଡି. ଗବେଷକମାନେ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ୧୫ ହଜାର ଟଙ୍କା ପାଇବେ।
ଓୟୁଏଟି ପକ୍ଷରୁ ଜଣାଯାଇଛି ଯେ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବିଶେଷ ପ୍ରଚେଷ୍ଟାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ସୁବିଧା ଓୟୁଏଟିର କୃଷି ଓ ଆନୁଷଙ୍ଗିକ ବିଷୟରେ ନିୟମିତ ଭାବେ ପାଠପଢ଼ୁଥିବା ପିଜି ଏବଂ ପିଏଚ୍.ଡି. ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ ହେବ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ଯୁବ ଗବେଷକଙ୍କ ଉପରେ ବିନିଯୋଗ କରିବା ଅର୍ଥ ହେଉଛି ଓଡ଼ିଶାର କୃଷି ଓ ଚାଷୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା। ଏହି ଆର୍ଥିକ ସହାୟତା ଦ୍ୱାରା ଛାତ୍ରୀଛାତ୍ରମାନେ ଆର୍ଥିକ ଚିନ୍ତାରୁ ମୁକ୍ତ ହୋଇ ନବସୃଜନ, ଗବେଷଣା ଏବଂ ଉଚ୍ଚଶିକ୍ଷାରେ ଅଧିକ ମନୋନିବେଶ କରିପାରିବେ। ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ କୃଷି ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଉଚ୍ଚଶିକ୍ଷା ଓ ନବସୃଜନକୁ ନୂଆ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।

