ବ୍ରହ୍ମପୁରରେ ମହାମହିମ ଦ୍ରୌପଦୀ ମୁର୍ମୁ; ରେଳ ଷ୍ଟେସନରେ ଭବ୍ୟ ସମ୍ବର୍ଦ୍ଧନା
ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ବିଧାୟକ, ସାଂସଦ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଷ୍ଟେସନରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ।
ରାଷ୍ଟ୍ରପତିଙ୍କ ଆଗମନ ଅବସରରେ ସାଂସ୍କୃତିକ ଦଳମାନଙ୍କ ପକ୍ଷରୁ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ସମଗ୍ର ପରିବେଶକୁ ଉତ୍ସବମୁଖର କରିଥିଲା। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ରହ୍ମପୁର ସହରରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ରେଳ ଷ୍ଟେସନ ଓ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସଶସ୍ତ୍ର ସୁରକ୍ଷା ବାହିନୀ, ଡଗ୍ ସ୍କ୍ୱାଡ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ କରାଯାଇଥିବାବେଳେ, ଗସ୍ତକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

