ଲାଞ୍ଚ ନେବା ବେଳେ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ; ଘରୁ ଜବତ ହେଲା ୧୪.୩୩ ଲକ୍ଷ ଟଙ୍କା
ସୁନ୍ଦରଗଡ଼: ସୁନ୍ଦରଗଡ଼ ପରିବହନ ବିଭାଗର ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ ମିଶ୍ର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୋଗ ଅନୁସାରେ, ହାଇୱା ଗାଡ଼ିକୁ ବିନା ବାଧାରେ ଚଳାଚଳ କରିବାକୁ ଦେବା ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ଟଙ୍କା ଜୁନ୍ ଓ ଜୁଲାଇ ମାସର ‘ମାସିକ କୋଟା’ ବାବଦରେ ଦାବି କରାଯାଇଥିବା ଅଭିଯୋଗ ହୋଇଛି।
ଲାଞ୍ଚ ନେବା ପରେ ଭିଜିଲାନ୍ସ ଅଧିକାରୀମାନେ ମୁକେଶ ମିଶ୍ରଙ୍କୁ କାବୁ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସୁନ୍ଦରଗଡ଼ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା। ସେଠାରୁ ନଗଦ ୧୪ ଲକ୍ଷ ୩୩ ହଜାର ଟଙ୍କା ଜବତ ହୋଇଥିବାବେଳେ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟର ବିଡ଼ା ବିଡ଼ା ଗଚ୍ଛିତ ଥିବା ଦେଖି ଭିଜିଲାନ୍ସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ।
ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ମୁକେଶ ମିଶ୍ରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତାଙ୍କ ଆୟଠାରୁ ଅଧିକ ସମ୍ପତ୍ତି ଥିବା ସମ୍ପର୍କରେ ମଧ୍ୟ ତଦନ୍ତ ଜାରି ରହିଛି। ଏହି ଚଢ଼ାଉ ସମୟରେ ଜବତ ହୋଇଥିବା ନଗଦ ଅର୍ଥର ଉତ୍ସ ନେଇ ଭିଜିଲାନ୍ସ ଅଧିକ ଖୋଳତାଡ଼ କରୁଛି।

