ପୋଲିସ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ: ଏଣିକି ଥାନାରେ EV ଚାର୍ଜିଂ ମନା, ଅଫିସ୍ ଲାଇନରେ କ୍ୱାର୍ଟରକୁ ବିଦ୍ୟୁତ ସଂଯୋଗ ବନ୍ଦ
ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ ଅଫିସ୍ ପରିସରରେ ବିଦ୍ୟୁତ ବ୍ୟବହାରକୁ ନେଇ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ପୋଲିସ ଜିଲ୍ଲା, ରେଞ୍ଜ, ବାଟାଲିୟନ ଏବଂ ବିଭିନ୍ନ ପ୍ରତିଷ୍ଠାନର ମୁଖ୍ୟମାନଙ୍କୁ ପଠାଯାଇଥିବା ଚିଠିରେ ଅଫିସ୍ ବିଦ୍ୟୁତର ଦୁରୁପଯୋଗ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି। ଅଫିସ୍ ଭବନରୁ ଆବାସିକ କ୍ୱାର୍ଟର କିମ୍ବା ବ୍ୟାରାକକୁ ବେଆଇନ ବିଦ୍ୟୁତ ସଂଯୋଗ ଦେବା, ଅଫିସ୍ ବିଦ୍ୟୁତରେ ବ୍ୟକ୍ତିଗତ ଇଲେକ୍ଟ୍ରିକ୍ ଗାଡ଼ି (EV) ଚାର୍ଜ କରିବା ଏବଂ ଅନୁମତି ବିନା ବିଦ୍ୟୁତ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।
ପୋଲିସ ମୁଖ୍ୟାଳୟର ସୂଚନା ଅନୁଯାୟୀ, କେତେକ ପୋଲିସ ପ୍ରତିଷ୍ଠାନରେ ମୁଖ୍ୟ ଅଫିସ୍ ବିଦ୍ୟୁତ ଲାଇନରୁ କ୍ୱାର୍ଟର ଓ ବ୍ୟାରାକକୁ ବେଆଇନ ଭାବେ ସଂଯୋଗ ଦିଆଯାଉଥିବା ନଜରକୁ ଆସିଛି। ସେହିପରି କିଛି କର୍ମଚାରୀ ଅଫିସ୍ ବିଦ୍ୟୁତ ବ୍ୟବହାର କରି ନିଜସ୍ୱ ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜ କରୁଥିବାରୁ ସରକାରଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପଡ଼ୁଥିବା ଉଲ୍ଲେଖ କରାଯାଇଛି। ଏହାଛଡ଼ା ବ୍ୟାରାକରେ ରୋଷେଇ ପାଇଁ ଇଲେକ୍ଟ୍ରିକ୍ ହିଟର ବ୍ୟବହାର କରାଯାଉଥିବାରୁ ବିଦ୍ୟୁତ ଖର୍ଚ୍ଚ ବୃଦ୍ଧି ସହ ସୁରକ୍ଷାଜନିତ ବିପଦ ମଧ୍ୟ ସୃଷ୍ଟି ହେଉଥିବା ଚିଠିରେ ଦର୍ଶାଯାଇଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପୋଲିସ ପ୍ରତିଷ୍ଠାନ ମୁଖ୍ୟଙ୍କୁ ନିଜ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକରେ ତୁରନ୍ତ ଯାଞ୍ଚ କରି ବେଆଇନ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ଏବଂ ଏଭଳି କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି ଯେ, ଅନଧିକୃତ ବିଦ୍ୟୁତ ସଂଯୋଗ କିମ୍ବା ଅଫିସ୍ ବିଦ୍ୟୁତର ଦୁରୁପଯୋଗ ଧରାପଡ଼ିଲେ ତୁରନ୍ତ ସଂଯୋଗ ବିଚ୍ଛିନ୍ନ କରାଯିବ। ଏଥିସହ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ପ୍ରଚଳିତ ନିୟମ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

