ଦିନ ଦ୍ୱିପ୍ରହରେ ପୂର୍ବତନ ସମିତି ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ; ବୁଲେଟ୍ରେ ପିଛା କରି ହାଣିଲେ ଦୁର୍ବୃତ୍ତ
ନୟାଗଡ଼: ଜିଲ୍ଲା ଫତେଗଡ଼ ଥାନା ଅଧୀନ ଧାନଚାଙ୍ଗଡ଼ା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଭୀମସେନ ଧଳଙ୍କ ଉପରେ ମଙ୍ଗଳବାର ଦିନଦ୍ୱିପ୍ରହରେ ମରଣାନ୍ତକ ଆକ୍ରମଣ ହୋଇଛି। ମାରଣାସ୍ତ୍ରରେ ହୋଇଥିବା ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୨ଟା ସମୟରେ ଭୀମସେନ ଧଳ ନିଜ ବାଇକ୍ରେ ଭାପୁର ବ୍ଲକ କାର୍ଯ୍ୟାଳୟରୁ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଟି ବୁଲେଟ୍ ମୋଟରସାଇକେଲରେ ହେଲମେଟ୍ ପିନ୍ଧି ଆସିଥିବା କିଛି ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ରାକମା ଗ୍ରାମ ନିକଟରେ ସେମାନେ ଭୀମସେନଙ୍କୁ ଅଟକାଇ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଭୀମସେନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ଛାନଭିନ୍ ଜାରି ରହିଥିବାବେଳେ ଆକ୍ରମଣର ପ୍ରକୃତ କାରଣ ଖୋଜିବାରେ ପୁଲିସ ଲାଗିପଡ଼ିଛି।

