Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଠ୍ୟପୁସ୍ତକରେ ପୁଣି ବଡ ତ୍ରୁଟି! ପ୍ରଥମ ଶ୍ରେଣୀ ‘ଝୁଲଣା-୧’ ବହିକୁ ନେଇ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାଠ୍ୟପୁସ୍ତକକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଶ୍ରେଣୀ ପାଇଁ ପ୍ରସ୍ତୁତ ‘ଝୁଲଣା-୧’ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ଥିବା ଅଭିଯୋଗ ଆସିଛି। ବହିରେ ଓଡ଼ିଆ ବର୍ଣ୍ଣମାଳାର କ୍ରମ ପରିବର୍ତ୍ତନ କରାଯାଇଥିବା ସହ ‘ବନ୍ଦେ ଉତ୍କଳ ଜନନୀ’ ଏବଂ ଜାତୀୟ ସଙ୍ଗୀତରେ ମଧ୍ୟ ବନାନ ଓ ଶବ୍ଦଗତ ତ୍ରୁଟି ଥିବାକୁ ନେଇ ଅଭିଭାବକ ଓ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୂର୍ବରୁ ପ୍ରଥମ ଶ୍ରେଣୀରେ ପିଲାମାନଙ୍କୁ ଓଡ଼ିଆ ବର୍ଣ୍ଣମାଳା ‘ଅ’ରୁ ଆରମ୍ଭ କରି ଲ ପର୍ଯ୍ୟନ୍ତ କ୍ରମାନୁସାରେ ଶିଖାଯାଉଥିଲା। କିନ୍ତୁ ଏଥର ନୂଆ ‘ଝୁଲଣା-୧’ ବହିରେ ପ୍ରଥମ ଅକ୍ଷର ଭାବେ ‘ଚ’ ଦିଆଯାଇଛି। ଏହାପରେ ‘ଟ’, ‘ମ’, ‘ଗ’, ‘ର’ ଏବଂ ପରେ ‘ଅ’ ଓ ‘ଆ’ ରଖାଯାଇଛି। ଏହି କ୍ରମକୁ ନେଇ ଅନେକ ଶିକ୍ଷାବିତ୍ ଓ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ଏହାଛଡ଼ା ବହିରେ ‘ବନ୍ଦେ ଉତ୍କଳ ଜନନୀ’ର ‘ଘନ ଘନ ବନଭୂମି’ ସ୍ଥାନରେ ‘ଘନ ବନଭୂମି’ ଲେଖାଯାଇଥିବା ବେଳେ, ଜାତୀୟ ସଙ୍ଗୀତରେ ମଧ୍ୟ ବନାନ ତ୍ରୁଟି ଥିବା ଅଭିଯୋଗ ହୋଇଛି।

ସବୁଠାରୁ ବଡ଼ ସମସ୍ୟା ହେଲା, ଏପର୍ଯ୍ୟନ୍ତ ପାଠ୍ୟପୁସ୍ତକର ମୁଦ୍ରିତ କପି ବିଦ୍ୟାଳୟକୁ ପହଞ୍ଚିନାହିଁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟରେ ଏହି ବହି ପଢ଼ାଯିବାକୁ ଥିବାବେଳେ, ବିଦ୍ୟାଳୟଗୁଡ଼ିକ କେବଳ ୧୬୮ ପୃଷ୍ଠାର PDF ଫାଇଲ୍ ଅଭିଭାବକଙ୍କୁ ପଠାଇଛନ୍ତି। ଫଳରେ ଅଭିଭାବକମାନେ ନିଜ ଖର୍ଚ୍ଚରେ ପ୍ରିଣ୍ଟ କରି ବହି ପ୍ରସ୍ତୁତ କରିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ଅନେକ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ ପାଠ୍ୟପୁସ୍ତକର ତ୍ରୁଟି ସୁଧାରି ଶୀଘ୍ର ମୁଦ୍ରିତ ବହି ଯୋଗାଇ ଦେବାକୁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories