‘ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖକୁ ନେଇଯାଅ’: କୋର୍ଟ ସାମ୍ନାରେ ନାବାଳିକାଙ୍କ ହାଇଡ୍ରାମା, ଦେଖି ଆଶ୍ଚର୍ଯ୍ୟ ହେଲା ପୁଲିସ
ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସର ସମ୍ମୁଖରେ ଜଣେ ନାବାଳିକାଙ୍କ ହାଇଡ୍ରାମା ଚର୍ଚ୍ଚାର ବିଷୟ ପାଲଟିଛି। ନାବାଳିକା ଜଣକ ବାରମ୍ବାର ଚିତ୍କାର କରି କହୁଥିଲେ, “ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖକୁ ନେଇଯାଅ।” ଏହା ଦେଖି କିଛି ସମୟ ପାଇଁ କୋର୍ଟ ସମ୍ମୁଖରେ ଲୋକଙ୍କ ଭିଡ଼ ଜମିଯାଇଥିଲା ଏବଂ ପୁଲିସକୁ ପରିସ୍ଥିତି ସମ୍ଭାଳିବାକୁ ପଡ଼ିଥିଲା।
ସୂଚନା ଅନୁସାରେ, ନାବାଳିକା ଜଣକ ମଞ୍ଚେଶ୍ୱର ଥାନା ଅଧୀନ ଝରଣାବସ୍ତି ଅଞ୍ଚଳର ବାସିନ୍ଦା। ତାଙ୍କ ପ୍ରେମିକ ପୋକ୍ସୋ ଆଇନ ଅନୁଯାୟୀ ରୁଜୁ ମାମଲାରେ ପ୍ରାୟ ମାସେ ହେବ ଗିରଫ ହୋଇ ଜେଲରେ ଅଛନ୍ତି। ନାବାଳିକା ପ୍ରେମିକଙ୍କ ଘରେ ରହୁଥିବା ବେଳେ ତାଙ୍କ ବାପା-ମାଆ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ପ୍ରେମିକଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରି ସୁଧାର ଗୃହରେ ରଖିଥିଲା।
ମଙ୍ଗଳବାର ମାମଲାର ବୟାନ ରେକର୍ଡ ପାଇଁ ନାବାଳିକାଙ୍କୁ କୋର୍ଟକୁ ଅଣାଯାଇଥିଲା। ବୟାନ ସରିବା ପରେ ବାପା-ମାଆଙ୍କ ସହ ଘରକୁ ଫେରିବାକୁ ସେ ସମ୍ପୂର୍ଣ୍ଣ ମନା କରିଥିଲେ। ରାସ୍ତାରେ ଉଚ୍ଚ ସ୍ୱରରେ ଚିତ୍କାର କରି ପ୍ରେମିକ ପାଖକୁ ନେଇଯିବାକୁ ଜିଦ୍ ଧରିବାରୁ କୋର୍ଟ ପରିସରରେ କିଛି ସମୟ ପାଇଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୁଲିସ ତାଙ୍କୁ ବୁଝାସୁଝା କରି ସୁରକ୍ଷିତ ଭାବେ ସୁଧାର ଗୃହକୁ ନେଇଯାଇଥିଲା।

