ତିନିଦିନିଆ ଦିଲ୍ଲୀ ଗସ୍ତରେ ମୋହନ ମାଝୀ: ଦିଲ୍ଲୀରେ ନିବେଶକଙ୍କ ସହ ବଡ଼ ବୈଠକ, ଫୋକସ୍ରେ ଓଡ଼ିଶାର ଶିଳ୍ପ ବିକାଶ
ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପାୟନକୁ ଅଧିକ ଗତି ଦେବା ଏବଂ ନୂତନ ପୁଞ୍ଜିନିବେଶ ଆକର୍ଷଣ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ତିନିଦିନିଆ ଦିଲ୍ଲୀ ଓ ଗୁରୁଗାଓଁ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ସେ ବିଭିନ୍ନ ଇନଭେଷ୍ଟର୍ସ ମିଟ୍ ଓ ଶିଳ୍ପ ସମ୍ମିଳନୀରେ ଯୋଗଦେଇ ଦେଶର ପ୍ରମୁଖ ଶିଳ୍ପପତି ଏବଂ ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ। ରାଜ୍ୟରେ ଶିଳ୍ପ ପାଇଁ ଉପଯୁକ୍ତ ପରିବେଶ, ସରକାରଙ୍କ ନୀତି ଓ ନୂଆ ସୁଯୋଗ ବିଷୟରେ ଉପସ୍ଥାପନ କରି ଓଡ଼ିଶାରେ ନିବେଶ କରିବାକୁ ସେମାନଙ୍କୁ ଆମନ୍ତ୍ରଣ ଜଣାଇବେ।
ଏଥର ସରକାରଙ୍କ ଫୋକସରେ ରହିଛି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ମେଟାଲ୍ ଡାଉନଷ୍ଟ୍ରିମ୍ ଶିଳ୍ପ। ବିଶେଷକରି IOCL ଓ NALCO ପରି ବଡ଼ କମ୍ପାନୀ ଓଡ଼ିଶାରେ ଡାଉନଷ୍ଟ୍ରିମ୍ ଶିଳ୍ପ ବିସ୍ତାର କରି କିପରି ଅଧିକ ଉତ୍ପାଦନ ଏବଂ ରୋଜଗାର ସୃଷ୍ଟି କରିପାରିବେ, ସେନେଇ ଏକ ରାଉଣ୍ଡ ଟେବୁଲ୍ ବୈଠକ ହେବ। ଦିଲ୍ଲୀ ଓ ଗୁରୁଗାଓଁରେ ରୋଡ୍ ଶୋ’ ମାଧ୍ୟମରେ ରାଜ୍ୟର ଶିଳ୍ପ ସମ୍ଭାବନାକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରାଯିବ। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଓ ଶିଳ୍ପ ସଚିବ ମଧ୍ୟ ସାମିଲ ହେବେ।
ରାଜ୍ୟ ସରକାରଙ୍କ କହିବାନୁସାରେ, ଏହି ଇନଭେଷ୍ଟର୍ସ ମିଟ୍ ମାଧ୍ୟମରେ ଓଡ଼ିଶାକୁ ବଡ଼ ଶିଳ୍ପ ପ୍ରକଳ୍ପ ଆସିବା ସହ ନୂତନ ପୁଞ୍ଜିନିବେଶର ଦ୍ୱାର ଖୋଲିବ। ଏହା ମାଧ୍ୟମରେ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ହେବା ସହ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାର ବିଶ୍ୱାସ ପ୍ରକାଶ କରିଛନ୍ତି। ଓଡ଼ିଶାକୁ ଦେଶର ଅନ୍ୟତମ ପ୍ରମୁଖ ଶିଳ୍ପ ଓ ନିବେଶ କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ଏହି ଦିଲ୍ଲୀ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

